Categories: ଖେଳ

ଭାରତ ବିପକ୍ଷ ଦକ୍ଷିଣ ଆଫ୍ରିକା ଟେଷ୍ଟ, ଟି୨୦ ଦଳ ଘୋଷିତ

ଜୋହାନ୍ସବର୍ଗ,୧୪।୮(ଏଏଫ୍‌ପି)- ଆଗାମୀ ଭାରତ ବିପକ୍ଷ ଟେଷ୍ଟ ଓ ଟି୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି। ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି। ଏହି ଦଳରେ ପୂର୍ବତନ ଅଧିନାୟକ ଫାଫ୍‌ ଡୁପ୍ଲେସିଙ୍କୁ ସାମିଲ କରାଯାଇ ନାହିଁ। ତେବେ ଡୁପ୍ଲେସି ପୂର୍ବପରି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେବେ। ଟି୨୦ ପରେ ଏହି ଟେଷ୍ଟ ସିରିଜ ଖେଳାଯିବ। ଟେଷ୍ଟରେ ଟେମ୍ବା ବଭୁମା ଡୁପ୍ଲେସିଙ୍କ ଡେପୁଟି ହିସାବରେ କାର୍ଯ୍ୟ କରିବେ। ଟେଷ୍ଟ ଫର୍ମାଟରେ ପୂର୍ବପରି ଡୁପ୍ଲେସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) କାର୍ଯକାରୀ ନିର୍ଦ୍ଦେଶକ କୋରି ଭାନ ଜିଲ କହିଛନ୍ତି। ସେହିପରି ରାସି ଭାନ ଡେର ଡୁସେନ ଡିକକ୍‌ ଡେପୁଟି ଭାବେ ଟି୨୦ ଦଳରେ ଉପଅଧିନାୟକ ଭାବେ କାର୍ଯ୍ୟ ତୁଲାଇବେ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ସିରିଜରେ ଜଣେ ଦକ୍ଷ ଅଧିନାୟକ ଓ ଏକ ସନ୍ତୁଳିତ ଦଳ ଗଢି ତୋଳିବାର ଶେଷ ସୁଯୋଗ ପାଇବ ଦକ୍ଷିଣ ଆଫ୍ରିକା। ଉଭୟ ଟି୨୦ ଓ ଟେଷ୍ଟ ଦଳରେ ୩ଜଣ ନବାଗତଙ୍କୁ ସ୍ଥାନ ମିଳିଛି। ଦ୍ରୁତ ବୋଲର ଅନ୍‌ରିଚ ନୋରଜ ଉଭୟ ଦଳରେ ସ୍ଥାନ ପାଇଛନ୍ତି। ବ୍ୟାଟ୍ସମ୍ୟାନ ବଭୁମା ଓ ସ୍ପିନ୍‌ ଅଲରାଉଣ୍ଡର ବିଜର୍ନ ଫର୍ଚ୍ୟୁନ ଟି୨୦ ଦଳରେ ସ୍ଥାନ ହାସଲ କରିଛନ୍ତି। ସେହିପରି ଉଇକେଟକିପର ରୁଡି ସେକେଣ୍ଡ ଓ ସ୍ପିନ୍‌ ବୋଲିଂ ଅଲରାଉଣ୍ଡର ସେନୁରାନ ମୁଥୁସାମି ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି। ସବୁ ଦୃଷ୍ଟିରୁ ବିଚାର କରାଯାଇ ଉଭୟ ଫର୍ମାଟ ପାଇଁ ସନ୍ତୁଳିତ ଦଳ ଘୋଷଣା କରାଯାଇଛି ବୋଲି ସିଏସ୍‌ଏ ତରଫରୁ କୁହାଯାଇଛି। ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସି ଏହି ଦୁଇଟି ସିରିଜ ଖେଳିବ। ସେପ୍ଟେମ୍ବର ୧୫ ତାରିଖରୁ ଟି୨୦ ସିରିଜ ଆରମ୍ଭ ହେବ ଓ ପରେ ଟେଷ୍ଟ ସିରିଜ ଖେଳାଯିବ।
ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଟେମ୍ବା ବଭୁମା (ଉପ- ଅଧିନାୟକ), ଥେଉନିସ୍‌ ଡି ବ୍ରୁଇନ, କ୍ୱିଣ୍ଟନ ଡିକକ୍‌, ଡିନ ଏଲଗାର, ଜୁବେର ହମ୍‌ଜା, କେଶବ ମହାରାଜ, ଏଡେନ ମାରକ୍ରାମ, ସେନୁରାନ ମୁଥୁସାମି, ଲୁନ୍‌ଗି ଏନ୍‌ଗିଡି, ଅନରିଚ୍‌ ନୋର୍ଜ, ଭର୍ନନ ଫିଲାଣ୍ଡର, ଡେନ ପିଟ୍‌, କାଗିସୋ ରାବାଡ଼ା ଓ ରୁଡ ିସେକଣ୍ଟ।
ଦକ୍ଷିଣ ଆଫ୍ରିକା ଟି୨୦ ଦଳ: କ୍ୱିଣ୍ଟନ ଡିକକ୍‌ (ଅଧିନାୟକ), ରାସି ଭାନ ଡେର ଡୁସେନ (ଉପ- ଅଧିନାୟକ), ଟେମ୍ବା ବଭୁମା, ଜୁନିୟର ଡାଲା, ବିଜର୍ନ ଫର୍ଚୁନ, ବେଉରାନ ହେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ଅନରିଜ ନୋରଜ, ଆଣ୍ଡିଲ ଫେଲୁକ୍ୱାୟୋ, ଡ୍ବେନ ପ୍ରିଟୋରିୟସ, କାଗିସୋ ରାବାଡ଼ା, ତାବରେଜ ସାମସି ଓ ଜନ-ଜନ ସ୍ମୁଟ୍ସ।

Share