ଭାରତୀୟ ନୌସେନା ବିଭାଗ : ୨୯୮୩ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂଆଉଟ୍‌ ପରେଡ୍‌

ବାଲୁଗାଁ,୧୨।୧(ଡି.ଏନ୍‌.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ୍‌ କେନ୍ଦ୍ରରେ ଶନିବାର ୨୯୮୩ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂଆଉଟ୍‌ ପରେଡ୍‌ ଅନୁଷ୍ଠିତ ହୋଇଯାଇଛି। ଏହାସହ ସେମାନଙ୍କୁ ସ୍ନାତକ ଉପାଧି ପ୍ରଦାନ କରାଯାଇଛି। ଦୀର୍ଘ ୨୧ ସପ୍ତାହ ଧରି ନାବିକଙ୍କ ଏହି ମୂଳ ପ୍ରଶିକ୍ଷଣର ପରେଡକୁ ଭାଇସ୍‌ ଆଡ୍‌ମିରାଲ୍‌ ତଥା ଦକ୍ଷିଣ ନୌସେନା ମୁଖ୍ୟ କମାଣ୍ଡ୍‌ ଏ.କେ. ଚାଓଲା ନିରୀକ୍ଷଣ କରିଥିଲେ। ଆଗାମୀ ଦିନରେ ନିଜର ପେଷାଗତ ଜ୍ଞାନକୁ ଦୃଢକରି ଜଣେ ଦକ୍ଷ କର୍ମକୁଶଳୀ ରୂପେ ଦେଶ ରକ୍ଷା ନିମନ୍ତେ ନିୟୋଜିତ ହେବାପାଇଁ ପ୍ରଶିକ୍ଷାର୍ଥୀଙ୍କୁ ଆଡ୍‌ମିରାଲ୍‌ ଚାଓଲା ଅଭିଭାଷଣ ପ୍ରସଙ୍ଗରେ କହିଥିଲେ। ଏଥିସହ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ନିଜର ଇଚ୍ଛାଶକ୍ତି ଓ ବଚନବଦ୍ଧକୁ ଭଲରୂପେ ଆଗାମୀ ଭବିଷ୍ୟତ ଜୀବିକାରେ ଶାଣିତ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଏହି ଅବସରରେ ମେଧାବୀ ପ୍ରଶିକ୍ଷାର୍ଥୀ କ୍ୟାପ୍‌ଟେନ୍‌ ମେଟ୍ରିକ୍‌ ଭର୍ତ୍ତି (ଏମ୍‌ଆର୍‌), ଜେଶ୍ୱର ରାଓ ଓ ନିଲେଶ ପଟେଲ (ନାବିକ)ଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇ ପୁରସ୍କୃତ କରାଯାଇଥିଲା। ଦେଶର କୋଣ ଅନୁକୋଣରୁ ପ୍ରଶିକ୍ଷାର୍ଥୀଙ୍କ ମାତାପିତା ଓ ଅଭିଭାବକ ଏଠାକୁ ଆସି ଉତ୍ସବରେ ଯୋଗଦେଇଥିଲେ। ଶୁକ୍ରବାର ପ୍ରଶିକ୍ଷାର୍ଥୀମାନଙ୍କ ଏକ ସାଂସ୍କୃତିକ ବିଦାୟ ଉତ୍ସବ ଅନୁଷ୍ଠିତ ହୋଇଥିଲା ା ପ୍ରଶିକ୍ଷାର୍ଥୀ ନିଜନିଜର ଅସାଧାରଣ ପ୍ରତିଭାକୁ ଆଡ୍‌ମିରାଲ୍‌ଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଦ୍ୱିଭାଷୀ ପତ୍ରିକା ‘ଅଙ୍କୁର’ର ଶୀତକାଳୀନ ସଂସ୍କରଣକୁ ଆଇଏନ୍‌ଏସ୍‌ ଚିଲିକାର କମୋଡର୍‌ ଋତୁରାଜ ସାହୁ ଓ ଚିଲିକା ମହିଳା କଲ୍ୟାଣ ସମିତି ସଭାପତି ସଙ୍ଗିତା ସାହୁ ଉନ୍ମୋଚନ କରିଥିଲେ।
ଫଟୋ: ପରେଡ୍‌ରେ ଭାଗନେଇଥିବା ନାବିକମାନେ।