Categories: ଖେଳ

ଭାରତୀୟ ଦଳରେ ଓଡ଼ିଶାର ନୀଲମ, ଆଶିଷ

ନୂଆଦିଲ୍ଲୀ, ୨୫।୭-ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଗୁରୁବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ୨ ଓଡ଼ିଆ ଖେଳାଳି ନୀଲମ ସଞ୍ଜୀପ୍‌ ଖେସ୍‌ ଓ ଆଶିଷ ଟପ୍ନୋ ସ୍ଥାନ ପାଇଛନ୍ତି। ଟିମ୍‌ ମ୍ୟାନେଜମେଣ୍ଟ ନିୟମିତ ଅଧିନାୟକ ମନପ୍ରୀତ ସିଂ, ଅଭିଜ୍ଞ ଗୋଲକିପର ପି.ଆର. ଶ୍ରୀଜେଶ, ବୀରେନ୍ଦ୍ର ଲାକ୍ରା ଏବଂ ସୁରେନ୍ଦର କୁମାରଙ୍କ ପରି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ବିଶ୍ରାମ ମିଳିବା ଫଳରେ ସିନିୟର ଖେଳାଳିମାନେ ଆହତ ସମସ୍ୟାରୁ ମୁକ୍ତ ହେବା ସହ ସତେଜ ମନରେ ଆଗାମୀ ନଭେମ୍ବରରେ ହେବାକୁଥିବା ଅଲିମ୍ପିକ୍‌ କ୍ୱାଲିଫାଇଂ ମ୍ୟାଚ ଗୁଡ଼ିକ ଖେଳି ପାରିବେ ବୋଲି କୋଚ୍‌ ଗ୍ରାହାମ ରିଡ୍‌ ପ୍ରକାଶ କରିଛନ୍ତି।
”ଗତ ୧୨ ମାସଧରି କଠିନ କରିଶ୍ରମ କରି ଆସୁଥିବା ମନପ୍ରୀତ ସିଂଙ୍କ ସମେତ ଅନେକ ସିନିୟର ଖେଳାଳିଙ୍କୁ ଆମେ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛୁ। ଫଳରେ ସେମାନେ କୌଣସି ଆହତ ସମସ୍ୟାକୁ ଆସିବେ ନାହିଁ ଏବଂ ଆଗାମୀ ୩ ମାସ ଧରି ସତେଜ ରହିବେ। ଏହାଦ୍ୱାରା ଆମେ ନଭେମ୍ବରରେ ହେବାକୁଥିବା କ୍ୱାଲିଫାଇଂ ମ୍ୟାଚ ପାଇଁ ଭଲଭାବେ ପ୍ରସ୍ତୁତ ହୋଇପାରିବୁ“ ବୋଲି ରିଡ୍‌ କହିଛନ୍ତି। ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ହରମନପ୍ରୀତ ସିଂ ଅଧିନାୟକ ଓ ମନଦୀପ ସିଂ ଉପଅଧିନାୟକ ଦାୟିତ୍ୱ ତୁଲାଇବେ। ଆଶିଷ ଟପ୍ନୋ ଓ ସମସେର ସିଂ ପ୍ରଥମ ଥରପାଇଁ ସିନିୟର ଦଳରେ ଭାଗ୍ୟ ପରୀକ୍ଷା କରିବେ। ଅନ୍ୟପକ୍ଷରେ ଦୀର୍ଘ ୯ ମାସ ପରେ ଅଭିଜ୍ଞ ଏସ.ଭି. ସୁନୀଲ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ କେତେକ ଖେଳାଳିଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଦକ୍ଷତା ପ୍ରତିପାଦନର ସୁଯୋଗ ଆଣିଛି ବୋଲି ରିଡ୍‌ କହିଛନ୍ତି। ”ଭାରତର ବିଶ୍ୱ ର଼୍ୟାଙ୍କିଙ୍ଗ ପ୍ରତି ବିପଦ ନ ଥିବାରୁ ଆଗାମୀ ବଡ଼ ମୁକାବିଲା ପାଇଁ ଆମେ କେତେ ପ୍ରସ୍ତୁତ ତାହା ଟୋକିଓ ଟେଷ୍ଟ ଇଭେଣ୍ଟରୁ ଜଣା ପଡ଼ିବ। ଆମେ ଅନେକ ଖେଳାଳିଙ୍କୁ ଦୀର୍ଘଦିନଧରି ଅନ୍ତର୍ଜାତୀୟ ସ୍ତରରେ ପରୀକ୍ଷା କରି ପାରିନାହୁଁ। ଏହି ଇଭେଣ୍ଟରେ ତାହା ମଧ୍ୟ ହୋଇଯିବ“ ବୋଲି ରିଡ୍‌ ପ୍ରକାଶ କରିଛନ୍ତି।

ଭାରତୀୟ ଦଳ
କ୍ରିଷ୍ଣନ ବାହାଦୂର ପାଠକ, ଗୁରିନ୍ଦର ସିଂ, ହରମନପ୍ରୀତ ସିଂ(ଅଧିନାୟକ), କୋଥାଜିତ ସିଂ ଖାଡାଙ୍ଗବାମ୍‌, ହାର୍ଦ୍ଦିକ ସିଂ, ନିଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ଜସକରନ ସିଂ, ମନଦୀପ ସିଂ(ଉପ-ଅଧିନାୟକ), ଗୁରସାହାବଜିତ ସିଂ, ନୀଲମ ସଞ୍ଜୀପ ଖେସ୍‌, ଜର୍ମନପ୍ରୀତ ସିଂ, ବରୁଣ କୁମାର, ଆଶିଷ ଟପ୍ନୋ, ଏସ.ଭି. ସୁନୀଲ, ଗୁରଜାନ୍ତ ସିଂ, ସମସେର ସିଂ, ସୁରଜ କରକେରା।

Share