ଭାରତରୁ କରୋନାକୁ ମୂଳପୋଛ କରିବା ଲାଗି ସେନା ଭିଡ଼ିଲା ଅଣ୍ଟା: ୧୩୩ ହସ୍ପିଟାଲରେ ୮ ହଜାର ଡାକ୍ତର ପ୍ରସ୍ତୁତ

ନୂଆଦିଲ୍ଲୀ,୨।୪: ଭାରତରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ସେନା ଅଣ୍ଟା ଭିଡ଼ିଛି। ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଭିଡ଼ିଓ କନଫରେନ୍ସିଂ କରିଛନ୍ତି। ଏଥିରେ ଯୋଗଦେଇଥିବା ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାଓ୍ବତ ସେନା ପକ୍ଷରୁ କରୋନା ବିରୋଧରେ ସଂଗ୍ରାମ ଲାଗି କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ ସେନାର ୧୩୩ଟି ହସ୍ପିଟାଲ ସଂକ୍ରମିତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ସେଥିମଧ୍ୟରୁ ୧୧୨ଟି ମିଲିଟାରୀ ହସ୍ପିଟାଲ ଥିବାବେଳେ ୧୨ଟି ଏୟାରଫୋର୍ସ ଏବଂ ୯ଟି ନୌସେନା ହସ୍ପିଟାଲ ରହିଛି। ଏସବୁ ହସ୍ପିଟାଲରେ ୮ ହଜାରରୁ ଅଧିକ ଅଭିଜ୍ଞ ଡାକ୍ତର ରହିଛନ୍ତି। ସେହିଭଳି ସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରାଓ୍ବଣେ କହିଛନ୍ତି ଯେ, ୯ ହଜାରରୁ ଅଧିକ ଶଯ୍ୟା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରହିଛି। ଆବଶ୍ୟକ ପଡ଼ିଲେ ନୌସେନାର ଜାହାଜ ମଧ୍ୟ ପ୍ରସ୍ତୁତ ହୋଇ ରହିଥିବା ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ କହିଛନ୍ତି। ଇତିମଧ୍ୟରେ ଡିଆର୍‌ଡିଓ ପକ୍ଷରୁ ୧ ଲକ୍ଷ ୫୦ ହଜାର ଲିଟର ସାନିଟାଇଜର ସପ୍ଲାଏ କରାଯାଇଛି। ସେହିପରି ଏହା ପ୍ରତିଦିନ ୧୦ ହଜାର ମାସ୍କ୍‌ ପ୍ରସ୍ତୁତ କରୁଥିବା ଭିଡ଼ିଓ କନଫରେନ୍ସିଂ ବୈଠକରେ ଡିଆର୍‌ଡିଓ ଅଧ୍ୟକ୍ଷ ଡ.ଡି.ଜି. ସତିଶ ରେଡ୍ଡୀ ସୂଚନା ଦେଇଛନ୍ତି। ଏକକାଳୀନ ୪ ଜଣ କରୋନା ସଂକ୍ରମିତଙ୍କୁ ସପୋର୍ଟ କରୁଥିବା ଭେଣ୍ଟିଲେଟର ନିର୍ମାଣ ଡିଆର୍‌ଡିଓ ପକ୍ଷରୁ ଜାରି ରହିଛି। ଦେଶର ଯୋଧପୁର, ଜୟସେଲମେର, ଚେନ୍ନାଇ, ମାନେସର, ହିଡ଼ନ ଏବଂ ମୁମ୍ବାଇଠାରେ ୧ ହଜାରରୁ ଅଧିକ ସଂକ୍ରମିତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କର ସମୟସୀମା ଏପ୍ରିଲ୍‌ ୭ରେ ଶେଷ ହେବ ବୋଲି ବିପିନ ରାଓ୍ବତ କହିଛନ୍ତି।

Share