ଭାରତକୁ ବିଶ୍ୱରେ ୧ ନମ୍ବର କରିବାର ଲକ୍ଷ୍ୟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧।୧୦(ବ୍ୟୁରୋ): ୨୦୩୦ ସୁଦ୍ଧା ଭାରତକୁ ବିଶ୍ୱରେ ୧ନମ୍ବର ଦେଶ ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏ ଦିଗରେ ଯୁବକମାନଙ୍କୁ କାମ କରିବାର ଆବଶ୍ୟକତା ରହିଛି। ସୋମବାର ସୁନ୍ଦରଗଡଠାରେ ଭାରତ ସ୍କାଉଟ ଏବଂ ଗାଇଡ୍‌ସ ରାଷ୍ଟ୍ରୀୟ ମୁଖ୍ୟାଳୟ ତରଫରୁ ରୋଭର୍ସ ଓ ରେଞ୍ଜର୍ସଙ୍କ ପାଇଁ ଆୟୋଜିତ ହେଉଥିବା ଯୁବଫୋରମ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ବର୍ତ୍ତମାନ ପ୍ରତି କ୍ଷଣରେ ଲୋକମାନେ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି। ଯୁବପିଢିମାନେ ଏବେ ଭବିଷ୍ୟତକୁ ଦେଖି ନୂଆ ଭାରତ ଗଢିବାର କଳ୍ପନା କରିବା ଦରକାର। ଯୁବବର୍ଗ ଭାରତକୁ ବିଶ୍ୱର ଅଗ୍ରଣୀ ଦେଶଭାବେ ବନାଇବା ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମା ଓ ନାଗାସାକି ଭଳି ଦୁଇଟି ବଡ଼ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ସେହି ସମୟରୁ ଏପର୍ଯ୍ୟନ୍ତ ଜାପାନ୍‌ ନିଜ ଦୃଢ ଇଚ୍ଛାଶକ୍ତି ଓ ନିଷ୍ପତ୍ତି କାରଣରୁ ଏବେ ବିକଶିତ ରାଷ୍ଟ୍ରଭାବେ ଉଭା ହୋଇପାରିଛି। ଜାପାନ ପାଖରେ ୧ ପ୍ରତିଶତ ଲୁହା ପଥର ନ ଥାଇ ମଧ୍ୟ ବିଶ୍ୱର ବିଭିନ୍ନ ରାଷ୍ଟ୍ରଗୁଡିକ ପାଖରୁ କଞ୍ଚାମାଲ କିଣି ନିଜ ଦେଶରେ କମ୍‌ ମୂଲ୍ୟରେ ଇସ୍ପାତ୍‌ ଉପତ୍ାଦ ତିଆରି କରି ବିକ୍ରି କରୁଛି। ଜାପାନ ଯୁବକମାନଙ୍କ ଉଦ୍ୟମ ଯୋଗୁ ବିଶ୍ୱରେ ଏହା ଅଗ୍ରଣୀ ଦେଶ ହୋଇପାରିଛି। ଦୀର୍ଘଦିନ ଧରି ସଂଗ୍ରାମ କରିବାପରେ ୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରଠାରୁ ଏ ପର୍ଯ୍ୟନ୍ତ ଭଲ ଅର୍ଥନୀତି ଥାଇ ସତ୍ତ୍ୱେ ସମ୍ପ୍ରତି ବିକଶିତ ରାଷ୍ଟ୍ରଭାବେ ପରିଗଣିତ ହୋଇପାରିନାହିଁ। ଖଣିଜ ସମ୍ବଳରେ ଭରପୂର ସୁନ୍ଦରଗଡ ଜିଲା ଓ ରାଉରକେଲା ଭଳି ଇସ୍ପାତ୍‌ କାରଖାନା ଥାଇ ସୁଦ୍ଧା ଏଠାର ଉପତ୍ାଦିତ ଜିନିଷ ଜାପାନର ଇସ୍ପାତ୍‌ଠାରୁ ଶସ୍ତା ମୂଲ୍ୟରେ ବିକ୍ରି ହୋଇପାରୁନାହିଁ। ଆଜିର ଦିନରେ ଏହି ପ୍ରସଙ୍ଗରେ ଯୁବପିଢିଙ୍କୁ ଭାବିବାର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।