ଭାଜପା ସଙ୍ଗଠକଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ

ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତରେ ପୁଣି ରାଜନୈତିକ ହିଂସା ଘଟିଛି। ଭାଜପାର ସଙ୍ଗଠକ ଟୁନା ପ୍ରଧାନଙ୍କୁ ୩ ଜଣ ଯୁବକ ଆକ୍ରମଣ କରିଛନ୍ତି। ଚାଷଜମିରେ କାମ ସାରି ଟୁନା ସାଙ୍ଗଙ୍କ ସହ ଫେରୁଥିବା ବେଳେ ସିନ୍ଧୁଖାଳିଗାଁ ନଳକୂପ ନିକଟରେ ପୂର୍ବ ଯୋଜନା ପ୍ରକାରେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ରବିବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଟୁନାଙ୍କ ମୁଣ୍ଡକୁ ସମ୍ପୃକ୍ତ ଯୁବକ ଲୁହାଛଡ଼ରେ ବାଡ଼େଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଟୁନାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ତ୍ରୀ ଦଣ୍ଡାଶୁଣୀଙ୍କ ଏତଲାକୁ ଭିତ୍ତି କରି ନଂ. ୧୫୦/୧୯ରେ ମାମଲା ରୁଜୁ କରାଯାଇଥିବା କେ.ନୂଆଗାଁ ଆଇଆଇସି ମାଧବାନନ୍ଦ ନାୟକ କହିଛନ୍ତି ।
ପଞ୍ଚାୟତ ନିର୍ବାଚନ ପରଠାରୁ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଟୁନା ଜଣଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା। ଆକ୍ରମଣର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଟୁନାଙ୍କୁ ହତ୍ୟା ଉଦ୍ୟମ କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ବେହେରା କହିଛନ୍ତି। ଗିରଫ ଭୟରେ ଅଭିଯୁକ୍ତମାନେ ଫେରାର ଅଛନ୍ତି।