ଭାଜପା ଭୁବନେଶ୍ୱର ଜିଲା ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଭାଜପାର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ତଥା କୋ-ଅପରେଟିଭ ସୋସାଇଟି ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ମଧ୍ୟାହ୍ନରେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏକାମ୍ର ହାଟ ନିକଟ କାର୍ଯ୍ୟାଳୟରେ ହରେକୃଷ୍ଣ ଥିବାବେଳେ ୯ଜଣ ଯୁବକ ମୁହଁରେ କପଡ଼ା ବାନ୍ଧି ଆସି ଲୁହା ପାଇପ୍‌ରେ ଆକ୍ରମଣ କରିବା ସହ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆକ୍ରମଣରେ ହରେକୃଷ୍ଣଙ୍କ ଗୋଡ଼ ଓ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ସେ ଖାରବେଳନଗର ଥାନାରେ ଏକ ଏତଲା ଦେଇଛନ୍ତି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକ ଏବଂ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା ହରେକୃଷ୍ଣ ଅଭିଯୋଗ କରିଛନ୍ତି। ଏହି ଆଧାରରେ ଦେବାଶିଷଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଅନ୍ୟପକ୍ଷରେ ଥାନାରେ ହରେକୃଷ୍ଣଙ୍କ ସମର୍ଥକମାନେ ପହଞ୍ଚତ୍ ଆକ୍ରମଣକାରୀଙ୍କୁ ଗିରଫ ଦାବି କରି ହୋ ହଲ୍ଲା କରିଥିଲେ। ଡିସିପି ଅନୁପ କୁମାର ସାହୁ ପହଞ୍ଚି ହରେକୃଷ୍ଣଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ହରେକୃଷ୍ଣ ଗଣମାଧ୍ୟମକୁ କହିଛନ୍ତି, ରାଜନୈତିକ ଆକ୍ରୋଶରୁ ମୋତେ ଆକ୍ରମଣ କରାଯାଇଛି। ଏହା ପଛରେ ଭୁବନେଶ୍ୱର ଏମ୍‌ପି ପ୍ରତିନିଧି ଦେବାଶିଷ ନାୟକଙ୍କ ହାତ ରହିଛି। ସେମାନେ ଭୁବନେଶ୍ୱରକୁ ନିଜ ଆୟତ୍ତରେ ରଖିବାକୁ ଚେଷ୍ଟା କରୁଛନ୍ତି। ମୁଁ ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ହେଉଥିବାରୁ ସେମାନେ ଏଭଳି ଆକ୍ରମଣ କରିଛନ୍ତି। ଅନ୍ୟପକ୍ଷରେ ଅପରାଜିତା କହିଛନ୍ତି, ହରେକୃଷ୍ଣଙ୍କୁ ଆକ୍ରମଣ ଘଟଣାରେ ମୁଁ ଦୁଃଖ ପ୍ରକାଶ କରୁଛି। ସେ ଭାଜପାର ଜଣେ ଭଲ କର୍ମୀ। ପୋଲିସ ଘଟଣାର ତଦନ୍ତ କରିବ। ଆକ୍ରମଣ ପଛରେ ଯେଉଁମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଖାରବେଳନଗର ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି, ହରେକୃଷ୍ଣଙ୍କ ଅଭିଯୋଗ ଭିତ୍ତିରେ ଆମେ କେସ୍‌ ନଂ. ୩୧୦/୧୯ ରୁଜୁ କରି ଘଟଣାର ତଦନ୍ତ କରୁଛୁ। ସିସିଟିଭି ଫୁଟେଜକୁ ଜବତ କରି ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଏୟାରପୋର୍ଟ ଥାନା ଅଞ୍ଚଳରେ ଜଣେ ଭାଜପା କର୍ମୀଙ୍କୁ ଦଳର ଅନ୍ୟ କର୍ମୀମାନେ ଆକ୍ରମଣ କରିଥିଲେ। ଯାହାକୁ ନେଇ ଦଳ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ପଦାରେ ପଡ଼ିଥିଲା।