ଭାଜପା ପକ୍ଷରୁ ବିନା ରାଶନକାର୍ଡ଼ଧାରୀଙ୍କୁ ସାମଗ୍ରୀ ବଣ୍ଟନ

ବାଲେଶ୍ୱର ଅଫିସ, ୯।୫-କରୋନା ମହାମାରୀର ମୁକାବିଲା ପାଇଁ ସରକାରଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ବିକଳ୍ପ ସାମାଜିକ ଦୂରତ୍ୱ ରକ୍ଷା କରିବା। ସେହି କ୍ରମରେ ଗତ ମାର୍ଚ୍ଚ ୨୩ତାରିଖରୁ କ୍ରମାଗତ ଭାବେ ରାଜ୍ୟ ଲକ୍‌ଡାଉନରେ ରହିଛି। ଲୋକଙ୍କର ଜୀବନଜୀବିକା ପାଇଁ ଉଭୟ ସରକାର ଗରିବଙ୍କୁ ଅନେକ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ସବୁକିଛି ପରେ ମଧ୍ୟ ଅନେକ ଗରିବ ପରିବାର ଏହି ସାହାଯ୍ୟରୁ ବଞ୍ଚତ୍ତ ହେଉଛନ୍ତି। ବିଶେଷ କରି ରାଶନକାର୍ଡ଼ ନ ଥିବା ଲୋକମାନେ ସମସ୍ୟା ମଧ୍ୟରେ ଘାଣ୍ଟି ହେଉଛନ୍ତି। ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହିତ ଆଲୋଚନା କରି ସେହି ବର୍ଗଙ୍କ ପାଇଁ ସହାୟତା ଯୋଜନା କରିଥିଲେ। ଜିଲାସଭାପତି ମହାପାତ୍ରଙ୍କ ନିର୍ଦ୍ଦେଶରେ ଜିଲାର ୮ ନିର୍ବାଚନମଣ୍ଡଳୀ ଓ ଲୋକସଭା ଅନ୍ତର୍ଗତ ବଡ଼ସାହି ନିର୍ବାଚନମଣ୍ଡଳୀକୁ ନେଇ ସମୁଦାୟ ୯ ନିର୍ବାଚନମଣ୍ଡଳୀର ବିନା ରାଶନକାର୍ଡ଼ଧାରୀଙ୍କୁ ଚୟନ କରାଯାଇଥିଲା। ମୋଟ ୧୯ହଜାରରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଭାଜପାର ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କଠାରୁ ତଥ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ସେମାନଙ୍କ ପାଇଁ ରାଶନ ବ୍ୟବସ୍ଥା କରାଇଥିଲେ। ଶନିବାର ସୁଦ୍ଧା ୧୫୦୦୦ରୁ ଉର୍ଦ୍ଧ୍ୱ ପରିବାରକୁ ଏହି ରାଶନ ସାମଗ୍ରୀ ବଣ୍ଟନ ସରିଥିବା ବେଳେ ରବିବାର ସୁଦ୍ଧା ବଣ୍ଟନ କାର୍ଯ୍ୟ ଶେଷ ହେବ ବୋଲି ଜିଲା ସଂଯୋଜକ ଚନ୍ଦ୍ରଶେଖର ନନ୍ଦ ସୂଚନା ଦେଇଛନ୍ତି।