ଭାଜପା ଛାଡିଲେ ଦାମ ରାଉତ: କହିଲେ ବିଜୁ ପଟ୍ଟନାୟକଙ୍କ ଅନୁଗତ ଭାବେ ରାଜ୍ୟର ସ୍ବାର୍ଥ ପାଇଁ ଅବଶିଷ୍ଟ ଜୀବନ ବିତାଇବେ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଭାଜପାର ବରିଷ୍ଠ ନେତା ଦାମୋଦର ରାଉତ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ କ୍ଷୋଭ ପ୍ରକାଶ କରି ଦାମ କହିଛନ୍ତି, ନିଜକୁ ଦଳରେ ଅଲୋଡା ଅନୁଭବ କରୁଛି। ସାଧାରଣ ନିର୍ବାଚନରେ ଜନମତ ସୃଷ୍ଟି ପାଇଁ ମୋତେ ଭାଜପାର ବରିଷ୍ଠ ନେତା ଦଳରେ ସାମିଲ କରିଥିଲେ। ନିର୍ବାଚନ ପରେ ଏବେ ଦଳୀୟ କାର୍ଯ୍ୟକ୍ରମରେ ମୋ ଉପସ୍ଥିତିକୁ କେହି ଆବଶ୍ୟକ ମନେ କରୁନାହାନ୍ତି। ୩୫ ବର୍ଷ ଧରି ବିଧାୟକ, ୬ ଥର ମନ୍ତ୍ରୀ ରହିବା ପରେ ବି ନିଜକୁ ଆଲୋଡା ଭାବୁଛି। ଏହା ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି କରୁଛି। ତେଣୁ ସକ୍ରିୟ ରାଜନୀତିରୁ ସମ୍ପୂର୍ଣ୍ଣ ଅବ୍ୟାହତି ନେବାକୁ ବାଧ୍ୟ ହେଉଛି ବୋଲି ଦାମ କହିଛନ୍ତି। ଆଗକୁ ବିଜୁଙ୍କ ଅନୁଗତ ଭାବେ ରାଜ୍ୟର ସ୍ବାର୍ଥ ପାଇଁ ଅବଶିଷ୍ଟ ଜୀବନ ବିତାଇବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଦାମ ରାଉତ ରାଜନୀତିରୁ ଅବସର ନେବା କଥା ଘୋଷଣା କରିଥିଲେ। ଭାଜପା ଉପରେ ବର୍ଷି ସେ କହିଥିଲେ, ନିର୍ବାଚନ ପୂର୍ବରୁ ଭାଜପା ନେତା ମୋତେ ଡାକି ଦଳରେ ମିଶାଇଥିଲେ। କିନ୍ତୁ ପରେ ମୋତେ ପଚରାଯାଉନାହିଁ। ଏପରିକ ମୋତେ କେଉଁଠିକି ମଧ୍ୟ ଡକାଯାଉନାହିଁ। ଓଡ଼ିଶାର ହେଉ କି ଦିଲ୍ଲୀର କୌଣସି ନେତା ମୋ ସହ କଥା ମଧ୍ୟ ହେଉନାହାନ୍ତି। ଯେଉଁ ଦଳ ମୋତେ ପଚାରୁନି, ମୁଁ କ’ଣ ଗୋଡେଇକି ପ୍ରାର୍ଥୀ ହେବି ବୋଲି ଦାମ କହିଥିଲେ। ଗତ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇ ସେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। କିନ୍ତୁ ତାଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା।