‘ଭାଜପାର ପରାଜୟ ଏକ ରହସ୍ୟ’

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ):୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ପୂର୍ବାପେକ୍ଷା ଭାଜପା ଭଲ ପ୍ରଦର୍ଶନ କରି ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଦଳ ଆସନ ହାସଲ କରିଛି। ସେହିପରି ଲୋକ ସଭା କ୍ଷେତ୍ରରେ ମଧ୍ୟ ଦଳ ଏଥର ୮ଟି ଆସନରେ ସଫଳତା ପାଇଛି। ବାଲେଶ୍ୱର ଲୋକ ସଭା ଆସନରୁ ପ୍ରତାପ ଷଡ଼ଙ୍ଗୀ ପ୍ରଥମ ଥର ପାଇଁ ଏମ୍‌ପିଭାବେ ନିର୍ବାଚିତ ହେବାସହ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ପାଇଛନ୍ତି। ତେବେ ତାଙ୍କ ସାଧାରଣ ଜୀବନଶୈଳୀ, ନିରଡାମ୍ବର ଜୀବନ ଯାପନ ଯୋଗୁ ଏବଂ ସଂସ୍କୃତରେ ପାର୍ଲାମେଣ୍ଟରେ ଦେଉଥିବା ଓଜସ୍ବିନୀ ଭାଷଣ ପାଇଁ ସେ ବର୍ତ୍ତମାନ ଦେଶର ଜଣେ ଚର୍ଚ୍ଚିତ ନେତା ହୋଇପାରିଛନ୍ତି। କେନ୍ଦ୍ରମନ୍ତ୍ରୀ ହେବାପରେ ଷଡଙ୍ଗୀଙ୍କ ସହ ଧରିତ୍ରୀ ପକ୍ଷରୁ ଏକ ସ୍ବତନ୍ତ୍ର ସାକ୍ଷାତକାର।

 

ପ୍ରଶ୍ନ: ଶିକ୍ଷା ବିଭାଗରେ ନିଯୁକ୍ତି ପାଇଥିବାବେଳେ ହଠାତ୍‌ ରାଜନୀତି ପାଇଁ ମନ ବଳାଇବାର ରହସ୍ୟ କ’ଣ?
ଉତ୍ତର: ମନ ବଳାଇ ନ ଥିଲି ବରଂ ରାଜନୀତି ମୋ ପାଖକୁ ଆସି ମୋତେ ଟାଣିଟାଣି ନେଇଥିଲା। ଶତାଧିକ ଲୋକ ମୋ ପାଖକୁ ଆସି ରାଜନୀତିରେ ଯୋଗଦେବାକୁ କହିଥିଲେ। ପ୍ରଥମେ ମନା କରିଦେଇଥିଲି ପରବର୍ତ୍ତୀ ସମୟରେ ଚାପ ବଢିବାପରେ ରାଜନୀତି କ୍ଷେତ୍ରରେ ମଧ୍ୟ ଜନସେବା କରିହେବ ବୋଲି ବିଚାର କରିଲି। ଯାହା ଛୋଟ ସ୍କେଲରେ କରୁଛି କ୍ଷମତାର ସଦୁପଯୋଗ କରି ବଡ ସ୍କେଲରେ କେମିତି କରିହେବ ଚିନ୍ତା କଲି।
ପ୍ରଶ୍ନ: ଭାଜପା ଭଳି ଜାତୀୟ ଦଳରେ ଆପଣ ହେଉଛନ୍ତି ଜଣେ ସରଳ ଜୀବନ ଯାପନ କଟାଉଥିବା ବ୍ୟକ୍ତି। ଏ ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବା ଲାଗି ଭାଜପାର ସର୍ବୋଚ୍ଚ ନେତୃତ୍ୱ ଆପଣଙ୍କୁ କୁଆଡେ ପ୍ରୋଜେକ୍ଟ କରୁଥିବା ଚର୍ଚ୍ଚା ହେଉଛି। ଯଦି ଆପଣଙ୍କୁ ଏହି ଦାୟିତ୍ୱ ମିଳେ ଏହାକୁ ଆପଣ ବିନମ୍ରତାର ସହ ଗ୍ରହଣ କରିବେ ନା ଆହ୍ବାନ ସହକାରେ ନେବେ?
ଉତ୍ତର: ନିଜକୁ ଅନ୍ୟମାନଙ୍କ ତୁଳନାରେ ନିରହଙ୍କାରୀ ବୋଲି କହିବା ମଧ୍ୟ ଏକ ଅହଙ୍କାର। କେନ୍ଦ୍ରମନ୍ତ୍ରୀ ହେବାପରେ ଯେତେବେଳେ ମୁଁ ଓଡିଶା ଆସିଲି ବହୁତ ଜଣ ଦଳବଳ ଧରି ଆସି ପହଞ୍ଚୁଥିଲେ। ସେମାନଙ୍କୁ କାମଧନ୍ଦା ବନ୍ଦ କରି ଆସିବା ପାଇଁ ମନା କଲି। ଏଥିରେ ମୋର ରୁଚି ନ ଥାଏ। ଭାଜପା ଏକ ରାଷ୍ଟ୍ରୀୟ ଦଳ ଏଥିରେ ବହୁ ଅନୁଭବୀ ନେତା ଅଛନ୍ତି, ନେତାଙ୍କ ଏଠାରେ ଅଭାବନାହିଁ। ଦଳରେ କିଏ ମୁଖ୍ୟମନ୍ତ୍ରୀ ହେବ ନିର୍ବାଚନ ଆସିଲେ ଏ ବିଷୟରେ ବିଚାର କରାଯିବ। କେନ୍ଦ୍ରୀୟ ନେତୃତ୍ୱ ଯାହାକୁ ସ୍ଥିର କରିବ ସେ ଏହି ଦାୟିତ୍ୱ ତୁଲାଇବ, ଏବେଠାରୁ ବ୍ୟାକୁଳ ହେବାର ଆବଶ୍ୟକତା ନାହିଁ।
ପ୍ରଶ୍ନ: ଗତ ସାଧାରଣ ନିର୍ବାଚନରେ ପୂର୍ବାପେକ୍ଷା ରାଜ୍ୟରେ ଏକ ସରକାର ବିରୋଧୀ ଜନମତ ରହିଥିବା କୁହାଯାଉଥିଲା। କିନ୍ତୁ ଏହାର ସେମିତି କିଛି ଫାଇଦା କାହିଁକି ଭାଜପାକୁ ମିଳିଲାନାହିଁ?
ଉତ୍ତର: ଏହା ଆଜି ପର୍ଯ୍ୟନ୍ତ ମଧ୍ୟ ଏକ ରହସ୍ୟ ବୋଲି ଅନେକ ଲୋକ ମନେ କରୁଛନ୍ତି। ଅସଲ କଥା ହେଉଛି, ନବୀନ ପଟ୍ଟନାୟକଙ୍କ ଏକ ଭାବମୂର୍ତ୍ତି ଜନସନସରେ ତିଆରି ହୋଇଛି ବୋଲି ମୋତେ ଲାଗୁଛି। ଏହି ଭାବମୂର୍ତ୍ତୀର ସତ୍ୟତା ଯାଞ୍ଚ କରିବା ପାଇଁ ଅନେକଙ୍କର ସେତିକି ସାମର୍ଥ୍ୟ ହୁଏତ ନାହିଁ। ତାଙ୍କ ଦଳରେ ସେ ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଯାହାକି ସମ୍ଭବତଃ ଜନତାଙ୍କ ମନରେ ଏକ ଧାରଣା ହୋଇଯାଇଥିବ। କଂଗ୍ରେସ ପ୍ରତି ଲୋକଙ୍କ ଯେଉଁ ତୀବ୍ର ଘୃଣାଭାବ ରହିଛି ସେହି ଭୋଟଗୁଡିକ ଅକ୍ତିଆର କରିବା ପାଇଁ ବିଜେଡି ହିଁ ସାମର୍ଥ୍ୟ ଏହିପରି ଏକ ଧାରଣା ନିର୍ମାଣ ହୋଇଯାଇଥିବ। ପଞ୍ଚାୟତ ନିର୍ବାଚନରେ ଭାଜପାର ସଙ୍ଗଠନ ଆଶାତୀତ ବୃଦ୍ଧି ପାଇବାରୁ ଭଲ ପ୍ରଦର୍ଶନ ଆମ ଦଳ କରିପାରିଥିଲା। ଏହାପରେ ମଧ୍ୟ ଆମେ ଆଶା ରଖିଥିଲୁ ସାଧାରଣ ନିର୍ବାଚନରେ ଭଲ ଫଳାଫଳ ହେବ ବୋଲି ଆମକୁ ଲାଗୁଥିଲା। କିନ୍ତୁ ଧୀରେଧୀରେ ଭୟ, ଲୋଭ, ପ୍ରଲୋଭନ କାରଣରୁ ଏଥିରେ ପରିବର୍ତ୍ତନ ହେବାରେ ଲାଗିଲା। ସେମାନଙ୍କ ଖଣି, ଚିଟ୍‌ଫଣ୍ଡ ଏବଂ ବିଜୁ ଯୁବ ବାହିନୀ ନାଁରେ ଟଙ୍କା ଦେଇ ପ୍ରଲୋଭନ ଦେଖାଇ ଭୋଟ ନେଇପାରିଛନ୍ତି।
ପ୍ରଶ୍ନ: ନିର୍ବାଚନରେ ବିଜେଡି ବିପୁଳ ଅର୍ଥ କରିଥିବା ଆପଣ ଦାବି କରୁଥିବା ସତ୍ତ୍ୱେ, ବାସ୍ତବରେ ଯେଉଁମାନେ ନିର୍ବାଚନ ଦେଖିଛନ୍ତି ଆପଣଙ୍କ ଜାତୀୟ ଦଳ ଖର୍ଚ୍ଚ ଦିଗରୁ ପଛରେ ନ ଥିଲା ବୋଲି କୁହନ୍ତି, ଏନେଇ ଆପଣ କ’ଣ କହିବେ?
ଉତ୍ତର: ମୋ ଅନୁଭବ ଅନୁଯାୟୀ ସେମାନଙ୍କ ଖର୍ଚ୍ଚର ୧୦ ଭାଗରୁ ଭାଗେ ମୁଁ କରିନାହିଁ। ଆମେ ବହୁ ସଙ୍କୁଚିତ ଖର୍ଚ୍ଚ କରିଛୁ। ପ୍ରଧାନମନ୍ତ୍ରୀଙ୍କ ସଭା ସମିତି ଯାହା ହୋଇଥିଲା ସେଥିଲାଗି ଅଲଗା ବ୍ୟବସ୍ଥା ହୋଇଥିଲା। ନ ହେଲେ ବହୁ ହିସାବ କରି ଏଥର ଖର୍ଚ୍ଚ କରାଯାଇଥିଲା। ଯାହାର ସାମର୍ଥ୍ୟ ଥିଲା ସେମାନେ ଅଧିକ ଖର୍ଚ୍ଚ କରିଥିବେ କିନ୍ତୁ ବିଜେଡିଠାରୁ ବହୁତ ପଛରେ ଅଛୁ। ଖର୍ଚ୍ଚ ଆମର ନିର୍ବାଚନ ସମୟରେ ହେଲା ସେମାନେ ୫ ବର୍ଷ ହେଲା ଖର୍ଚ୍ଚ କରୁଥିଲେ।
ପ୍ରଶ୍ନ: ଭାଜପାର ବୈଚାରିକ ଭଣ୍ଡାର କୁହାଯାଉଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରୁ ଆପଣ ଆସିଛନ୍ତି। ଓଡିଶାରେ ଦଳର ଯେତେବେଳେ କିଛି ନ ଥିଲା ସେତେବେଳେ ଆପଣ ଦଳ ପାଇଁ ବହୁତ ଖଟିଛନ୍ତି। ଭାଜପା ହେଉଛି ଭିନ୍ନ ଆଦର୍ଶ ମୂଲ୍ୟ ବୋଧର ଦଳ । କିନ୍ତୁ ନିର୍ବାଚନ ପୂର୍ବରୁ ଅନ୍ୟ ଦଳର ନେତାମାନଙ୍କୁ ଭାଜପା ଆମଦାନୀ କରି ରାତାରାତି ଟିକେଟ ବଣ୍ଟିଲା। ତଥାପି ବିଧାନସଭାରେ ବିଫଳତା କାହିଁକି ଘଟିଲା?
ଉତ୍ତର: ବିଜ୍ଞାନରେ ବିଭିନ୍ନ ଗବେଷଣା ହୋଇଥାଏ। ଏହା ମଧ୍ୟ ସେମିତି କିଛି ଥିଲା। ଏହା ରାଜନୀତିର ଗୋଟିଏ ପରୀକ୍ଷା ଥିଲା। ଅନ୍ୟ ଦଳରୁ ଆସିଲେ କାହାକୁ ବାରଣ କରାଯାଇପାରିବ ନାହିଁ। ବିଜୟ ସମ୍ଭାବନା ଥିବା ଦଳକୁ ଯେତେବେଳେ କିଏ ଆସେ ତାଙ୍କୁ ପରୀକ୍ଷା କରାଯାଇ ନିଆଯାଏ, କେତେବେଳେ ପରୀକ୍ଷା ମଧ୍ୟ କରିହୁଏନାହିଁ। ଏହାପରେ କିଛି ଲୋକ ଧୋକା ଦିଅନ୍ତି କେତଜଣ ରହିଯାଆନ୍ତି। ବୈଜୟନ୍ତ ପଣ୍ଡା ଅନ୍ୟ ଦଳରୁ ଆସିଛନ୍ତି, ସେ ଆମ ଦଳରେ ବର୍ତ୍ତମାନ ଜଣେ ପ୍ରଭାବୀ ନେତା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି। ଦଳରେ ବହୁତ ବିଶ୍ୱସ୍ତ ଭାଜପା ବିଚାରଧାରାକୁ ସ୍ବୀକାର କରିଛନ୍ତି। ସେହିପରି ଦାମ ରାଉତ ଆସିଥିଲେ ରହିପାରିଲେନାହିଁ। ପୂର୍ବରୁ ଆମ ଦଳ ନେତାଙ୍କୁ ତାତ୍ସଲ୍ୟ କରି କହୁଥିଲେ ତାପରେ ପୁଣି ଭାଜପାରେ ମିଶିଲେ। କିନ୍ତୁ ତାଙ୍କ ନିହିତ ସ୍ବାର୍ଥ ଲାଗି ହଠାତ୍‌ ଚାଲିଗଲେ। ଆମ ଦଳ ଯେଉଁମାନଙ୍କୁ ମିଶାଇଛି ସେମାନଙ୍କୁ ଆଣି ଡ୍ରାଇଭର ଆସନରେ ନୁହେଁ ବରଂ ପାସେଞ୍ଜର ସିଟ୍‌ରେ ନେଇଯାଇଛୁ। ଏହାଦ୍ୱାରା ଦଳୀୟ ଆଦର୍ଶର ସେମିତି କିଛି କ୍ଷତି ଘଟିନାହିଁ।
ପ୍ରଶ୍ନ: ଭାଜପା ଓଡିଶାରେ ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଦଳ ଆସନରେ ରହିଛି। ହେଲେ ପୂର୍ବାପେକ୍ଷା ଶାସକ ଦଳକୁ ବିରୋଧ କରିବା କ୍ଷେତ୍ରରେ ସେତେଟା ସକ୍ରିୟତା ଦେଖିବାକୁ ମିଳୁନାହିଁ। ଅନ୍ୟପଟେ କେନ୍ଦ୍ରରେ ଭାଜପା ଏକକ ସଂଖ୍ୟା ଗରିଷ୍ଠତା ପାଇବା ସତ୍ତ୍ୱେ ବିଜେଡି ସହ ବୁଝାମଣା କରି ଗୋଟିଏ ରାଜ୍ୟ ସଭା ଆସନ ନେଇଛି। ଏପରି ହେବାଦ୍ୱାରା ତୃଣମୂଳସ୍ତରରେ କର୍ମୀ ଯେଉଁମାନେ ଦଳ ପାଇଁ ଖଟୁଛନ୍ତି ସେମାନଙ୍କ ଉପରେ ପ୍ରଭାବ ପଡୁନାହିଁ କି?
ଉତ୍ତର: ଭାଜପାର ଦୃଶ୍ୟମାନ ଦିଗଗୁଡିକ ଦେଖାଯାଉଛି ହେଲେ ସଙ୍ଗଠନର ଯେଉଁଗୁଡିକ ଅଦୃଶ୍ୟ ଦିଗ ଯାହା ଉପରେ ଆମେ ଠିଆ ହୋଇଛୁ ଯଥା, ଆମ ସଦସ୍ୟତା ଅଭିଯାନ କେମିତି ଚାଲିଲା, ବୁଥ୍‌ କମିଟି କିପରି ହେଲା ତାହା ଦେଖାଯାଉନାହିଁ। ସେଦିଗରେ ପ୍ରକୃତ ଶକ୍ତି ତିଆରି ହେଉଛି। ବର୍ତ୍ତମାନ ସାଙ୍ଗଠନିକ ପର୍ବ ଚାଲିଛି। ବ୍ୟାପକ ସ୍ତରରେ ସାରା ଦେଶରେ ସାଙ୍ଗଠନିକ ପ୍ରକ୍ରିୟା ଚାଲିଛି ସେଥିଲାଗି ଆନ୍ଦୋଳନାତ୍ମକ କାର୍ଯ୍ୟ ବନ୍ଦ ଅଛି। ବିଜେଡି-ଭାଜପା ମଧ୍ୟରେ ଯେଉଁ ବୁଝାମଣା କଥା ଉଠୁଛି, ବୁଝାମଣା କମ୍‌ ଥିଲେ ଲୋକଙ୍କ ଉପରେ ନିଶ୍ଚୟ ପ୍ରଭାବ ପକାଇବ। ଆମ କାର୍ଯ୍ୟକର୍ତ୍ତାମାନେ ବାସ୍ତବିକ କଥା ସମସ୍ତଙ୍କୁ ବୁଝାଇବା କଥା। ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଥିଲେ। ତାଙ୍କ ପ୍ରାର୍ଥିତ୍ୱକୁ ନେଇ କ’ଣ ହୋଇଥିଲା ସେକଥା ଜାଣିନାହିଁ। ରାଜ୍ୟ ସ୍ବାର୍ଥ ପାଇଁ ସମର୍ଥନ କରିବାରେ କିଛି ଅସୁବିଧା ନାହିଁ। ବିଧାନସଭା ସମୟ ପୂର୍ବରୁ ବନ୍ଦ ହେବାବେଳେ ଆମେ କଂଗ୍ରେସ ସହ ମିଶି ମଧ୍ୟ ଆନ୍ଦୋଳନ କରିଛୁ। ଯେମିତି ବାଚସ୍ପତି ନିର୍ବାଚନରେ ବିରୋଧୀ ଦଳର ସମର୍ଥନ ଲୋଡି ଗୋଟିଏ ଭଲ ପରମ୍ପରା ସୃଷ୍ଟି ପାଇଁ ଚେଷ୍ଟା କରାଯାଏ, ସେହିଭଳି ଏକ କଥା। ସେହିପରି ବିଜେଡି ଠାରୁ ରାଜ୍ୟ ସଭା ଆସନ ନେବା ମଧ୍ୟ ପ୍ରଦାନମନ୍ତ୍ରୀ କିମ୍ବା ରାଷ୍ଟ୍ରୀୟ ଅଧ୍ୟକ୍ଷ ବ୍ୟକ୍ତିଗତ ସ୍ତରରେ ଗୋଟିଏ ନିବେଦନ କରିଛନ୍ତି। ମିଳିମିଶି ଓଡିଶାର ସ୍ବାର୍ଥ ପାଇଁ କାମ କରିହେବ ଏବଂ ପ୍ରସଙ୍ଗ ଭିତ୍ତିକ କାର୍ଯ୍ୟକ୍ରମ ହୋଇପାରିବ ଏଥିରେ କିଛି ଯାଏଆସେ ନାହିଁ।
ପ୍ରଶ୍ନ: ନାଗରିକତା ସଂଶୋଧନ ବିଲ୍‌କୁ ଆଇନରେ ପରିଣତ କରିବାପରେ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ହିଂସା ଦେଖିବାକୁ ମିଳୁଛି। ଏହାଦ୍ୱାରା ସାଧାରଣ ଲୋକ ହଇରାଣ ହେଉଛନ୍ତି ବୋଲି ଭାବୁନାହାନ୍ତି କି?
ଉତ୍ତର: ସିଟିଜେନଶିପ୍‌ ବିଲ୍‌ ଲାଗୁ ହେବାଦ୍ୱାରା ଉତ୍ତର ପୂର୍ବାଞ୍ଚଳକୁ ନୂଆ ଶରଣାର୍ଥୀ ଆସିଲେନାହିଁ ଯାହା ଥିଲେ ସେତିକି। ଏବେ ଆମକୁ ଧାରା ୩୭୦ ଲାଗୁ ହେବାପରେ ଯେମିତି ଦେଶରେ ସଭା ସମିତି କରି ସମସ୍ତଙ୍କୁ ବୁଝାଇବାକୁ ପଡିଲା ପ୍ରକୃତ କଥା ଏବେ ମଧ୍ୟ ଆମକୁ ସେମିତି କରିବାକୁ ପଡିବ। ଯେଉଁମାନେ ନିଆଁ ଲଗାଇ ହିଂସା ସୃଷ୍ଟି କରୁଛନ୍ତି ଏଥିରେ ଦୁଇଟି ପ୍ରକାର ଲୋକ ଅଛନ୍ତି। ଯିଏ ଏହାକୁ ମୋଟେ ବୁଝି ନାହାନ୍ତି ନଚେତ୍‌ ଯେଉଁମାନେ ଶରଣାର୍ଥୀ।
ପ୍ରଶ୍ନ: ଆପଣ ଯଦି ଓଡିଶାର ମଙ୍ଗ ଧରନ୍ତି ତେବେ କେଉଁ କଥାକୁ ବିଶେଷ ପ୍ରାଧାନ୍ୟ ଦେବେ?
ଉତ୍ତର: କଳ୍ପନାଜଗତରେ ଭାସିବା ଠିକ୍‌ ହେବନାହିଁ। ପ୍ରଥମେ ଭାଜପା ବିଜୟୀ ହେଉ ତା’ପରେ ଦଳ ଯାହାକୁ ଦାୟିତ୍ୱ ଦେବ। କେନ୍ଦ୍ରମନ୍ତ୍ରୀ ହେବାପରେ କୋଷ୍ଟ କେନାଲର ପୁନରୁଦ୍ଧାର ପାଇଁ ବିଭାଗୀୟ ମନ୍ତ୍ରୀ, ସଚିବଙ୍କୁ ଚିଠି ଲେଖିସାରିଛି। ମାଛ ଚାଷୀଙ୍କ ଏକ କର୍ମଶାଳା କରୁଛି। ଏଥିରେ ୧୨ରୁ ଅଧିକ ବୈଜ୍ଞାନିକଙ୍କୁ ମଧ୍ୟ ଡାକିଛି। ପାନରୁ ଏକ ଭଲ ପର୍ଫ୍ୟୁମ କରିବା ନେଇ ଆଲୋଚନା କରିଛି। ଚାଷ ଉପରେ ଗୁରୁତ୍ୱ ଦେବାକୁ ବିଭିନ୍ନ ପଦକ୍ଷେପ ନେଇଛି।

ସାକ୍ଷାତ୍‌: ସୁନୀତ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri