ଭାଜପାର ଗାନ୍ଧୀ ସଂକଳ୍ପ ପଦଯାତ୍ରା

ଫୁଲନଖରା,୩ା୧୦(ଡି.ଏନ୍‌.ଏ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ରାଜ୍ୟ ଭାଜପା ପକ୍ଷରୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଛି। ଏହାକୁ କଟକ ଜିଲା ତେଲଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତିପୀଠରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ତେଲଙ୍ଗାପେଣ୍ଠ, କୋଠସାହି, ବଢେଇ ସାହି, ନଛିପୁର, ଅମଣିଆଗୋରଡା, ସଇଁନ୍ଧା ହୋଇ ବାଲିସାହିରେ ଶେଷ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଯୋଗଦେଇ କହିଥିଲେ, ସମାଜର ଅନ୍ତିମ ପାହାଚରେ ଥିବା ବ୍ୟକ୍ତିଙ୍କ ପାଖରେ ସମସ୍ତ ଯୋଜନାର ଲାଭ ପହଞ୍ଚାଇବା ଗାନ୍ଧିଜୀଙ୍କ ବିଚାରର ମୂଳମନ୍ତ୍ର ଥିଲା। ଭାଜପା ସରକାର ସବୁବେଳେ ଗରିବଙ୍କ ପାଇଁ ସମର୍ପିତ। ଗାନ୍ଧିଜୀଙ୍କ ସ୍ବପ୍ନକୁ ସାର୍ଥକ କରିବା ପାଇଁ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ ବୋଲି ସେ କହିଥିଲେ। ଏହି ସଭାରେ ଭାଜପା ରାଜ୍ୟ ସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ, ପୀତାମ୍ବର ଆଚାର୍ଯ୍ୟ, ଦିଲୀପ ନାୟକ, ନୟନ କିଶୋର ମହାନ୍ତି, ଗୋଲଖ ମହାପାତ୍ର, ସମୀର ମହାନ୍ତି, ପ୍ରକାଶ ବେହେରା, ଶାରଦା ପ୍ରଧାନ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରତାପ ରାଉତରାୟ, ରାଜକୁମାରୀ ସ୍ବାଇଁ, କ୍ଷୀରୋଦ ଚନ୍ଦ୍ର ଦଳାଇ ପ୍ରମୁଖ ଯୋଗଦେଇଥିଲେ।