ଭାଜପାରେ ମିଶିଲେ କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ ସୌଦାମିନୀ ମାନସିଂହ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମାନସିଂହ ଭାଜପାରେ ସାମିଲ ହୋଇଥିବା କହିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମାନସିଂହ ତାଙ୍କ ଶତାଧିକ କର୍ମୀଙ୍କ ସହ ଦଳରେ ସାମିଲ ହୋଇଛନ୍ତି। ଏହାସହ ପୁରୀ ଜିଲାର ଶତାଧିକ ବିଜେଡି କର୍ମୀ ମଧ୍ୟ ଦଳରେ ଯୋଗ ଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ବିଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ରାଜ୍ୟ ଉପସଭାପତି ସମୀର ମହାନ୍ତି ସମସ୍ତଙ୍କୁ ସ୍ବାଗତ କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜଭୁତ୍‌ ହେବ ବୋଲି ସମୀର କହିଛନ୍ତି। ଏହି ମିଶ୍ରଣ ପର୍ବରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।