ଭସାଣି ପାଇଁ କମ୍ପୁଛି ବୀରମହାରାଜପୁର

ଅମରପାଲି, ୯।୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ବ୍ଲକ ବୀରମହାରାଜପୁର ଅଞ୍ଚଳରେ ହେଉଥିବା ଦଶହରା ପୂଜା ଉଦ୍‌ଯାପିତ ହୋଇଛି। ସଦର ବୀରମହାରାଜପୁରରେ ତିନୋଟି ସ୍ଥାନରେ ପୂଜା ହୋଇଥିଲା। ସ୍ଥାନୀୟ ତ୍ରିବେଣୀ ଛକ, ବସଷ୍ଟାଣ୍ଡ ଓ ଉଫୁଲାଠାରେ ହୋଇଥିବା ମେଢ଼, ତୋରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ତ୍ରିବେଣୀ ଛକରେ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ୨୩ ବର୍ଷ ପାଳନ କରିଥିଲା। ସୁଉଚ୍ଚ ତୋରଣ, ଆକର୍ଷଣୀୟ ମେଢ଼ ଓ ରଙ୍ଗୀନ ଆଲୋକ ସାଜସଜ୍ଜାରେ ଦର୍ଶକଙ୍କୁ ଆକୃଷ୍ଟ କରୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ଏଠାରେ ଅନୁଷ୍ଠିତ ହୋଇଥିଲା ରାବଣପୋଡି ଉତ୍ସବ । ଏଥିପାଇଁ ବାଳକ ହାଇସ୍କୁଲ ସମ୍ମୁଖରେ ରାବଣ ଦରବାର କରାଯାଇଥିଲା। ଏକ ଶୋଭାଯାତ୍ରାରେ ରାବଣ ଆସି ଦରବାରରେ ମୁକ୍ତମଞ୍ଚ ନାଟକ ପରିବେଷଣ କରିଥିଲେ। ଅନ୍ୟ ଏକ ଶୋଭାଯାତ୍ରାରେ ରାମ, ଲକ୍ଷ୍ମଣ ମଧ୍ୟ ବସ୍ତି ପରିକ୍ରମା କରିଥିଲେ। ଏଠାରେ ଅନୁଷ୍ଠିତ ରାବଣ ପୋଡି କାର୍ଯ୍ୟକ୍ରମରେ ଏଡିଏମ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଏବଂ ଉପଖଣ୍ଡୀୟ ପୋଲିସ ଅଧିକାରୀ ଧିରୋଜ ଚୌପଦାର ଓ ତହସିଲଦାର ଖଦାନ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ରାବଣ ପୋଡିରେ ଅଗ୍ନି ସଂଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ସେହିପରି ବସ୍‌ଷ୍ଟାଣ୍ଡ ପୂଜା କମିଟି ପକ୍ଷରୁ ନିର୍ମିତ ଚନ୍ଦ୍ରଯାନ-୨ ସଦୃଶ ତୋରଣ ଅନ୍ୟତମ ଆକର୍ଷଣ ଥିଲା। ବଭିନ୍ନ ରଜନୀରେ ଭଜନ ସମାରୋହ, ସଂକୀର୍ତ୍ତନ ବୈଠକ ଆଦି ପରିବେଷଣ କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଚମ୍ପାମାଳର ଚମ୍ପେଶ୍ୱର ରଘୁନାଥ ନାଟ୍ୟ ସଂସଦ ଆନୁକୂଲ୍ୟରେ ରାବଣ ବଧ ପରିବେଷଣ କରାଯାଇଥିଲା। ଉଫୁଲା ଦୁର୍ଗାପୂଜାରେ ଦଣ୍ଡନୃତ୍ୟ, ପାରାୟଣ ଆଦି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବୁଧବାର ମଧ୍ୟାହ୍ନରେ ତ୍ରିବେଣୀ ଛକର ଭସାଣୀ ହୋଇଥିବା ବେଳେ ସନ୍ଧ୍ୟାରେ ଉଫୁଲା ଦୁର୍ଗା ପୂଜାର ଭସାଣୀ କରାଯାଇଥିଲା। ଭସାଣୀ ଶୋଭାଯାତ୍ରାରେ ଘଣ୍ଟପାର୍ଟି, ହୁଳହୁଳି, ବାଡିଖେଳ, ରେକର୍ଡ ଡ୍ୟାନ୍ସ ଆଦି ପରିବେଷିତ ହୋଇଥିଲା।