ଭଲ କାମ ପାଇଁ ପୁରସ୍କୃତ ହେଲେ ୭ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର,୮ା୨(ବ୍ୟୁରୋ): ଆମ୍ବୁଲାନ୍ସ ସେବା ୧୦୮ ଏବଂ ୧୦୨ ପରିଚାଳନା କରୁଥିବା ଜିକିତ୍ସା ହେଲଥ୍‌କେୟାର ପକ୍ଷରୁ ଓଡ଼ିଶା ସ୍କଲାରଶିପ୍‌ ପ୍ରୋଗ୍ରାମ-୨୦୨୦ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପାଇଁ ୭ ଆମ୍ବୁଲାନ୍ସ କର୍ମଚାରୀ ଏବଂ ୩ କ୍ଲଷ୍ଟର ଲିଡର୍‌ଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ସଂସ୍ଥା ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ପିଲାମାନଙ୍କ ମଧ୍ୟରୁ ଗତବର୍ଷ ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ରଖିଥିବା ୧୦ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ଜିକିତ୍ସା ହେଲଥ୍‌କେୟାର ଲିମିଟେଡ୍‌ ମାନବସମ୍ବଳ ମୁଖ୍ୟ ମନୀଷ କୁମାର ଏବଂ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ଅବସରରେ ସବ୍ୟସାଚୀ ବିଶ୍ୱାଳ କହିଥିଲେ, ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବାକୁ ସଫଳ କରିବାରେ ଏହାର କର୍ମଚାରୀମାନଙ୍କ ଅବଦାନ ସର୍ବାଧିକ। ଦୁର୍ଗମ ଅଞ୍ଚଳରେ ଆବଶ୍ୟକସ୍ଥଳେ ରୋଗୀଙ୍କୁ ବୋହି ଆଣିବା, ଗୁରୁତର ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇବା, ପ୍ରଳୟଙ୍କାରୀ ପ୍ରାକୃତିକ ଦୁର୍ବିପାକ ସମୟରେ କର୍ତ୍ତବ୍ୟଠାରୁ ଊର୍ଦ୍ଧ୍ୱରେ ରହି କାମ କରିବା ଭଳି ଅନେକ ସମୟରେ ଏମାନେ ନିଜ ମହାନତାର ପରିଚୟ ଦେଇଛନ୍ତି। ସେହି ଅବଦାନ ଓ ଉତ୍ସର୍ଗୀକୃତ ମନୋଭାବକୁ ସମ୍ମାନ ଜଣାଇ ଆମେ ଏହି ପୁରସ୍କାର ପ୍ରଦାନ କରୁଛୁ। ଏହା ସେମାନଙ୍କ ଉତ୍ସାହ ବଢ଼ାଇବା ସହ ଅନ୍ୟ କର୍ମଚାରୀମାନଙ୍କୁ ଭଲ କାର୍ଯ୍ୟ କରିବା ଦିଗରେ ପ୍ରେରଣା ଯୋଗାଇବ ବୋଲି ବିଶ୍ୱାଳ କହିଥିଲେ। ଏହି ଅବସରରେ ସମୀର କୁମାର ତ୍ରିପାଠୀ, ଏ. କ୍ରିଷ୍ଣା ରାଓ, କିରନ ଭାଲ୍‌, ଚିତ୍ତରଞ୍ଜନ ଦାଶ, ଯତୀନ୍ଦ୍ର ପାତ୍ର, ସଦାଶିବ ପାଣି ଓ ବିନୋଦ ଭୋଇଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ କ୍ଲଷ୍ଟର ଲିଡର ସମ୍ବଲପୁରର ପ୍ରଦୀପ କୁମାର ପ୍ରଧାନ, ନୟାଗଡ଼ର ସୁଶାନ୍ତ ଷଡ଼ଙ୍ଗୀ ଏବଂ କେନ୍ଦୁଝରର ସୁନିଲ କୁମାର ପାଢ଼ୀଙ୍କୁ ପୁରସ୍କୃତ କରାଯାଇଥିଲା।