ଭବ ଭୟ ଓ ଜୀବନ

ଡ. ରମେଶ ଚନ୍ଦ୍ର ପରିଡ଼ା
ଜନ୍ମର ଠିକ୍‌ ପରକ୍ଷଣଠାରୁ ଆମ ଜୀବନସ୍ରୋତ ନିଃଶବ୍ଦରେ ବହି ଚାଲିଥାଏ ମୃତ୍ୟୁର କରାଳ ଲହରିକୁ ଭେଟିବା ପାଇଁ। ଏହି ଅବସରରେ ଆମ ବୟସ ବଢ଼ିଚାଲେ ଏବଂ ଶୈଶବ, ଯୁବାବସ୍ଥା ଓ ପୌଢ଼ତ୍ୱ ଦେଇ ଆମେ ବାର୍ଦ୍ଧକ୍ୟରେ ଉପନୀତ ହେଉ। ସେଥିପାଇଁ କୁହାଯାଏ ଜୀବନ ପରିସ୍ଥିତିମାନଙ୍କର ଏକ ସୁଦୀର୍ଘ ମାଳା, ନିରନ୍ତର ପରିବର୍ତ୍ତନଶୀଳ। ଏହି ପରିବର୍ତ୍ତନ ଛୋଟବଡ଼ ସମସ୍ୟାମାନ ସୃଷ୍ଟିକରେ। ସେଗୁଡ଼ିକର ସମାଧାନକରି ଚାଲିବା ହେଲା ଜୀବନ। ତେବେ ସେଥି ସହିତ ଆମେ ସବୁବେଳେ ଖାପଖୁଆଇ ପାରୁନା। ବିଶେଷକରି, ବୟସାଧିକ୍ୟ ପରେ ଆମର ମାନସିକ ଓ ଦୈହିକ ସାମର୍ଥ୍ୟ ହ୍ରାସ ପାଇବାକୁ ଲାଗେ। କାରଣ, ସେତେବେଳେ ଆମ ସ୍ନାୟୁ ବ୍ୟବସ୍ଥା ଦୁର୍ବଳ ହୋଇପଡ଼େ ଏବଂ ଚୟାପୟନ ମନ୍ଥର ହୋଇଯାଏ। ଏଣୁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟଦକ୍ଷତାରେ ଅଧୋଗତି ଘଟେ। ପରିଣାମସ୍ବରୂପ, ନିମ୍ନଗାମୀ ହୁଏ ଆମର ଆତ୍ମବିଶ୍ୱାସ; ଯାହାକି ଆମ ସମସ୍ୟା ସମାଧାନ କ୍ଷମତାକୁ ପ୍ରଭାବିତ କରେ ଏବଂ ଛୋଟ ସମସ୍ୟାଟି ମଧ୍ୟ ଆମକୁ ବଡ଼ ବୋଲି ମନେହୁଏ। ଅତଏବ ସୃଷ୍ଟି ହୁଏ ମାନସିକ ଅବସାଦଠାରୁ ଆରମ୍ଭ କରି ମାନସିକ ତଥା ଶାରୀରିକ ରୋଗବ୍ୟାଧି ଓ ଅକ୍ଷମତା।
ଏହାକୁ ପ୍ରତିହତ କରିବାକୁ ହେଲେ ଆମକୁ ଜୀବନସ୍ରୋତର ପ୍ରବାହ ସହିତ ଆସୁଥିବା ପରିବର୍ତ୍ତିତ ପରିସ୍ଥିତିକୁ ମାନସିକ ସ୍ତରରେ ଗ୍ରହଣ କରିନେବାକୁ ହେବ। ତା’ହେଲେ ଏହା ଆମକୁ ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି ମନେହେବ ଏବଂ ଆମେ ତାହାକୁ ନେଇ ଅନାବଶ୍ୟକ ଭାବେ ମାନସିକ ଚାପର ସମ୍ମୁଖୀନ ହେବାନାହିଁ। ମହୀମଣ୍ଡଳରେ ଦେହ ବହିବାକୁ ହେଲେ ସବୁ ମଣିଷକୁ ଦିନେ ଏସବୁର ମୁକାବିଲା କରିବାକୁ ପଡ଼ିବ ବୋଲି ଆମର ହୃଦୟଙ୍ଗମ ହେବ। ଯେଉଁମାନେ ଏହା କରିପାରନ୍ତି ସେମାନେ ସହଜରେ ଆତ୍ମବିଶ୍ୱାସ ହରାନ୍ତି ନାହିଁ ଏବଂ ଦୃଢ଼ତାର ସହ ସମସ୍ୟାଗୁଡ଼ିକର ଯଥାସମ୍ଭବ ସମାଧାନ କରିବାକୁ ଆଗେଇ ଆସନ୍ତି। ଫଳରେ ସେମାନେ ଦୀର୍ଘ ଓ ସୁସ୍ଥ ଜୀବନର ଅଧିକାରୀ ହୁଅନ୍ତି। ତେବେ, ଏହା ଏତେଟା ସହଜ କଥା ନୁହେଁ। ସେଥିପାଇଁ ଆମେ ଆମ ମନକୁ ହାଲୁକା ଓ ଦୃଢ଼ କରିବା ଦରକାର ଏବଂ ତା’ ମଧ୍ୟରେ ଭରିଦେବା ଦରକାର ସକାରାତ୍ମକ ଚିନ୍ତାଧାରା। ଆଧ୍ୟାତ୍ମିକ ଚିନ୍ତନଠାରୁ ଆରମ୍ଭକରି ଉତ୍ସର୍ଗୀକୃତ ସମାଜସେବାରେ ନିଜକୁ ନିୟୋଜିତ କରିବା କିମ୍ବା ରୁଚି ଅନୁସାରେ କାର୍ଯ୍ୟବ୍ୟସ୍ତ ରହିବା ଦ୍ୱାରା ଏହା କିଛିମାତ୍ରାରେ ସାଧନ କରାଯାଇପାରେ।
ଏଥିସହିତ ତହିଁରୁ ଆମକୁ ଦୂରକରିବାକୁ ହେବ ଜୀବନର ଅଳୀକତାକୁ ନେଇ ଭୟ। ଅତଏବ, ଆମେ ଅନୁଭବ କରିପାରିବା ଯେ ମାତୃଗର୍ଭରେ ଭ୍ରୂଣଟିଏ ହୋଇ ସୃଷ୍ଟି ହେଲା ପରଠାରୁ ମୃତ୍ୟୁ ସତତ ଆମର ପଶ୍ଚାଦ୍ଧାବନ କରୁଛି। ଏହାର ନିକଟତର ହେବାର ଅସୀମ ମାର୍ଗ ରହିଛି ଏବଂ ଦୂରତା ଅତୀବ ସସୀମ। ମୃତ୍ୟୁର ସମୟ ବା ଅବସ୍ଥା ପ୍ରତି ସମ୍ମାନ ନ ଥାଏ। ଏହା ‘ମହା କ୍ରୂର’ ଓ ‘ବଡ଼ ଅବିଶ୍ୱାସୀ’, ‘ପହଞ୍ଚିଯାଏ ସେ କେତେବେଳେ ଆସି’। ସନ୍ଥ କବୀରଙ୍କ ମତରେ ଜୀବନ ଜଳର ଏକ ବୁଦ୍‌ବୁଦ୍‌ ସଦୃଶ। ସକାଳର ତାରା ଭଳି ଦେଖୁଦେଖୁ ଛପିଯାଏ। ଏଣୁ ଆମେ ସଦ୍ୟଜାତ ଶିଶୁ ହେଉ କିମ୍ବା ଶତାୟୁ ହେଉ ଆମ ଜୀବନ ଘାସପତ୍ରରେ ପଡ଼ିଥିବା ଜଳବିନ୍ଦୁଟିଏ ଭଳି ଢଳଢଳ ହେଉଥାଏ ବୋଲି କହିଯାଇଛନ୍ତି ସଦ୍‌ଗୁରୁ ଶିବାନନ୍ଦ ମୂର୍ତ୍ତି। ତେବେ ତାଙ୍କ ଦୃଷ୍ଟିରେ ଏହି ଜଳବିନ୍ଦୁ ସିନା ଉଷା ଆଗମନ ପରେ ପରେ ଅଦୃଶ୍ୟ ହୋଇଯାଏ, ତଥାପି ତାହାରି ମଧ୍ୟରେ ଏହା ଚମତ୍କାର ସୂର୍ଯ୍ୟକିରଣକୁ ଶୋଷଣ ଏବଂ ପ୍ରତିଫଳନ କରି ସାରିଥାଏ। ଏଣୁ ଜୀବନ କେବଳ ମୃତ୍ୟୁର ସାନ୍ନିଧ୍ୟ ଛଡ଼ା ଅନ୍ୟ କିଛି ନ ହେଲେ ହେଁ ଏହାକୁ ତା’ ସ୍ଥାନରେ ରଖି ଆମେ ସୃଷ୍ଟିର ଗୌରବକୁ ପ୍ରଶଂସା କରିବା ଦରକାର। ତା’ ହେଲେ ଆମେ ଯେତିକି ଦିନ ବଞ୍ଚି ରହୁନା କାହିଁକି ତାହା ପ୍ରଫୁଲ୍ଲିତ ହୋଇପାରିବ ଏବଂ ଆମେ ବୟସକୁ ବୋଝ ବୋଲି ମନେକରିବା ନାହିଁ କି ମୃତ୍ୟୁକୁ ଏକ ଭୟାବହ ପରିଣତି ବୋଲି ବିଚାର କରିବା ନାହିଁ।
ବାର୍ଦ୍ଧକ୍ୟ କ’ଣ? ବୟସକୁ ନେଇ ବ୍ୟସ୍ତବିବ୍ରତ ହେବା ହିଁ ବାର୍ଦ୍ଧକ୍ୟର ପ୍ରତୀକ। ଏହା ଆମକୁ ଅଧିକ ବୃଦ୍ଧ କରିଦିଏ। ଯିଏ ନିତିଦିନ ନିଜଠାରେ ନୂତନତା ଦେଖିପାରେ ତା’ ମନକୁ ବାର୍ଦ୍ଧକ୍ୟ ସ୍ପର୍ଶ କରିପାରେନା। ସମୟର କ୍ଷୟକାରୀ ପ୍ରଭାବ ସତ୍ତ୍ୱେ ତା’ର ଚେତନା ସଦା ସତେଜ ରହେ। ଅନ୍ୟପକ୍ଷରେ, ଆଶା ସଦାସର୍ବଦା ଯୁବକ। ଏହା ଆମଠାରେ ନୂଆ ନୂଆ ଶକ୍ତି ସଞ୍ଚାର କରେ- ବିଶେଷକରି ମାନସିକ ସ୍ତରରେ। ଏଣୁ ଆମେ ଯେତେ ଦିନ ବଞ୍ଚିଛେ ଏବଂ ସଚେତନ ଅଛେ, ମନରେ ନୂତନ ଆଶାକୁ ସ୍ଥାନ ଦେବା ଉଚିତ। ଶାନ୍ତିରେ ରହିବା ଆମର ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ। ଏହା ଆମକୁ ତାହା ପ୍ରଦାନ କରିପାରିବ। କୁହାଯାଏ ଯେ ବିତିଯାଇଥିବା ଅତୀତକୁ ନେଇ ଭବିଷ୍ୟତ ପାଇଁ ଭୟଭୀତ ହେଉଥିବା କୋଡ଼ିଏ ବର୍ଷର ଯୁବକ ହେଉଛି ଜଣେ ବୃଦ୍ଧ। ଅନ୍ୟପକ୍ଷରେ, ଆଶାବାଦୀ ହୋଇ ଭବିଷ୍ୟତକୁ ଦେଖିପାରୁଥିବା ୮୦ ବର୍ଷର ବ୍ୟକ୍ତି ମଧ୍ୟ ଜଣେ ଯୁବକ।
ଶରୀର ଏବଂ ମନ ଅଭିନ୍ନ। ଏଣୁ ଗୋଟିକର ପ୍ରଭାବ ଅନ୍ୟ ଉପରେ ପଡ଼ିବା ସ୍ବାଭାବିକ। ତେବେ, ଗଭୀର ଭାବେ ଅନୁଧ୍ୟାନ କଲେ ଶରୀର ଉପରେ ମନର ଏକ ପ୍ରକାର କର୍ତ୍ତୃତ୍ୱ ରହିଛି ବୋଲି ମନେହୁଏ। ଏହା ଆମର ଭୌତିକ ଢାଞ୍ଚାକୁ ମାନସିକତାର ଉପସ୍ଥାପନ ବୋଲି ବିଶ୍ୱାସ କରିବାକୁ ଦିଏ। ସେଥିପାଇଁ ଅନେକ ସମୟରେ ସୁସ୍ଥ ଶରୀର ଓ ଏକ ଦୁଃଖିତ ଆତ୍ମାଯୁକ୍ତ ଯୁବକ ଏବଂ ହୃଦୟ ଖୋଲି ହସିପାରୁଥିବା ଜଣେ ବୃଦ୍ଧ ଆମର ଦୃଷ୍ଟିଗୋଚର ହେବା ବିରଳ ନୁହେଁ।
ଅସନ୍ତୋଷ ଆମକୁ ଅସମୟରେ ବୃଦ୍ଧ ଏବଂ ଅକର୍ମଣ୍ୟ କରିଦେଲାବେଳେ, ସନ୍ତୁଷ୍ଟି ଏବଂ ଆନନ୍ଦ ଆମକୁ ସୁସ୍ଥ ଓ ଯୁବକସୁଲଭ ମାନସିକତା ସମ୍ପନ୍ନ କରି ରଖିଥାଏ। ମାନସିକ ଶାନ୍ତି ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥରକରେ ବୋଲି ଏବେ ମିଳିଲାଣି ଭୂରି ଭୂରି ବୈଜ୍ଞାନିକ ପ୍ରମାଣ। ତେବେ, ଆମେ ଯାହାକୁ ସୁଖ ବୋଲି କହୁଛୁ ତାହା ଶାନ୍ତି ସହିତ ସମ୍ପୃକ୍ତ ନୁହେଁ। କବି ରାଧାନାଥଙ୍କ ଭାଷାରେ- ‘ସୁଖ ବୋଲି ଯାହା ଜନନେତ୍ରେ ଦିଶେ, ହାତେ ଆସେ ହାତୁ ପଡ଼ିବା ପାଇଁ ସେ। ବସ୍ତୁ ନୁହଁଇ ସେ ଅଟଇଟି ଧୂମ, ଆନ ନାମ ତା’ର ଆକାଶ କୁସୁମ।’ ପ୍ରକୃତରେ ଶାନ୍ତି ମନ ଓ ଚେତନା ସହିତ ଓତପ୍ରୋତ ଭାବେ ଜଡ଼ିତ ହେଲାବେଳେ ସୁଖ ଅଧିକ ମାତ୍ରାରେ ଭୌତିକ। ତେବେ ଏହାରି ପଛରେ ହିଁ ଆମେ ଅଧିକାଂଶ ସମୟରେ ଧାଇଁଥାଉ। ଅନେକ ସ୍ଥଳେ ଏହା ଆମ ଦୁଃଖର କାରଣ ବି ହୋଇଥାଏ।
ସନ୍ତୋଷ ହେଉଛି ଶାନ୍ତିର ଏରୁଣ୍ଡିବନ୍ଧ। ଆମର ଯାହା କିଛି ଅଛି, ଏପରିକି ଯାହା ନାହିଁ ତାକୁ ନେଇ ଆମେ ସନ୍ତୁଷ୍ଟ ରହିବା ଦରକାର। ଋଷି ଶ୍ରୀଅରବିନ୍ଦଙ୍କ ଭାଷାରେ- ‘ଯଦି ତୁମେ ଏବେ ଯେପରି ଅଛ ତାହାକୁ ନେଇ ସନ୍ତୁଷ୍ଟ ନୁହଁ, ତେବେ ତୁମେ କଦାପି ସନ୍ତୋଷ ଲାଭ କରିପାରିବନି।’ ସୁତରାଂ ବିବିଧ ସମସ୍ୟା ମଧ୍ୟରେ ବି ଆମେ ସନ୍ତୁଷ୍ଟ ରହିବା ଉଚିତ। ଏହି ମହତ୍‌ ମାନସିକତା ଆମକୁ ସୁସ୍ଥ ଓ ସ୍ବଚ୍ଛନ୍ଦ ଜୀବନଯାପନ କରିବା ଏବଂ ସସମ୍ମାନେ ବଞ୍ଚିବାକୁ ଦେବ। ଅତଏବ ମୃତ୍ୟୁର ଭୟ କିମ୍ବା ବାର୍ଦ୍ଧକ୍ୟ ଆମକୁ ନକାରାତ୍ମକ ଭାବେ ପ୍ରଭାବିତ କରିପାରିବ ନାହିଁ। ଏ ପ୍ରକାର ଚିନ୍ତାଧାରା କେବଳ ଆଧ୍ୟାତ୍ମିକ ନୁହେଁ, ବିଜ୍ଞାନସମ୍ମତ ମଧ୍ୟ। ଏହା ମନକୁ ଆଣିଥାଏ ବିଶିଷ୍ଟ ଦାର୍ଶନିକ ଓ ଲେଖକ ମାର୍କ ଟ୍ବାଇନଙ୍କର ଏକ ପ୍ରସିଦ୍ଧ ଉକ୍ତି- ବୟସ (ଏଠାରେ ବାର୍ଦ୍ଧକ୍ୟ) ହେଉଛି ଏକ ମାନସିକ ଅବବୋଧ ମାତ୍ର। ଯଦି ତୁମେ ଏହାକୁ ମନରେ ଘେନା ନ କର, ତେବେ ତାହା ପ୍ରଭାବହୀନ।
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରିବିହାର, ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri