ଭବାନୀପାଟଣା ସହର ଆଖପାଖ ଅଞ୍ଚଳରେ ଝଡ଼ତୋଫାନ ବର୍ଷା: ଉଡ଼ିଲା ଘରର ଛାତ, କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି

ଭବାନୀପାଟଣା, ୨୫।୨ (ଡି.ଏନ୍‌.ଏ.)- ଭବାନୀପାଟଣା ଆଖପାଖ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କିଛି ସମୟ ପାଇଁ ଝଡ଼ତୋଫାନ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଫଳରେ ଅନେକ ଗଛ ଉପୁଡିବା ସହ ଡାଳପତ୍ର ଭାଙ୍ଗି ରାସ୍ତା ଉପରେ ପଡିବା ଯୋଗୁ ଜାତୀୟ ରାଜପଥ ନଂ.୨୬ ନକଟିଗୁଡା- ବାଣିଭଘାର ନିକଟରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ଝଡ଼ତୋଫାନ ଫଳରେ ଅନେକ ସ୍ଥାନରେ ବିଜୁଳି ଖୁଣ୍ଟ ଉପରେ ଗଛ ପଡି ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଯାଇଛି। ଅନେକ ସ୍ଥାନରେ ବିପଦସଂକୁଳ ଅବସ୍ଥାରେ ବିଜୁଳି ତାରଗୁଡିକ ଛିଣ୍ଡି ପଡିଥିବାରୁ ବିଜୁଳି ବିଭାଗ ପକ୍ଷରୁ ରାତ୍ରପାଟ୍ରୋଲିଂ ଜାରି ରଖାଯାଇଛି। ସନ୍ଧ୍ୟା ସମୟରେ ଝଡ଼ତୋଫାନ ହେବା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଝଡ଼ତୋଫାନ ଫଳରେ ବ୍ୟାପକ ଭାବରେ ଆମ୍ବ ଫସଲ, ପନିପରିବା, ପିଆଜ, ଡାଲିଜାତୀୟ ଫସଲ କୋଟି କୋଟି ଟଙ୍କାର କ୍ଷତି ହୋଇଥିବା ଆଶଙ୍କା ଦେଖାଦେଇଛି। କୃଷି ବିଭାଗ ଓ ଉଦ୍ୟାନ ବିଭାଗ ପକ୍ଷରୁ ଆକଳନ କରାଯିବା ପରେ କ୍ଷୟକ୍ଷତିର ପ୍ରକୃତ ତଥ୍ୟ ଜଣାପଡିବ। ଝଡତୋଫାନ ଫଳରେ ଭବାନୀପାଟଣା ସହର ମଧ୍ୟରେ ଲଗା ଯାଇଥିବା ସମସ୍ତ ହୋର୍ଡିଂ, ବ୍ୟାନର ଆଦି ଉଡିଯିବା ସହ ନୂତନ ଭାବରେ ଚାଲିଥିବା ଭାଗୀରଥି ମଲ୍‌ର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି।