Categories: ରାଜ୍ୟ

ଭଦ୍ରକ ମଦମୃତ୍ୟୁ ଘଟଣା: ଜିଲାପାଳ, ଏସ୍‌ପିଙ୍କୁ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

କଟକ ଅଫିସ,୧୭।୭: ଭଦ୍ରକ ଜିଲାରେ ବିଷାକ୍ତ ମଦମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି। ୪ ସପ୍ତାହ ମଧ୍ୟରେ ଏହି ଘଟଣା ସମ୍ପର୍କରେ ରିପୋର୍ଟ ଦେବା ଲାଗି ଭଦ୍ରକ ଜିଲାପାଳ ଓ ଏସ୍‌ପିଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ୍‌ ୨୯ ରେ ବିଷାକ୍ତ ମଦ ପିଇ ତିହିଡି ଥାନା ଅନ୍ତର୍ଗତ ପୀରହାଟ ଅଞ୍ଚଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଅସୁସ୍ଥ ହୋଇଥିଲେ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦ୍ୱାରା ଏହି ମଦ ବଣ୍ଟା ଯାଇଥିବା ଅଭିଯୋଗ ହୋଇଥିଲା। ମାନବାଧିକାର କର୍ମୀ ଅଖଣ୍ଡ ଏହି ଘଟଣା ପାଇଁ ସରକାରୀ ଅଧିକାରୀମାନଙ୍କୁ ଦାୟୀ କରି କମିଶନଙ୍କ ନିକଟରେ ପିଟିଶନ୍‌ ଦାଏର କରିଥିଲେ। ରାଜ୍ୟରେ ବିଷାକ୍ତ ମଦର ପ୍ରସ୍ତୁତି ଓ ବିକ୍ରିକୁ ବନ୍ଦ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ ଦର୍ଶାଇଥିଲେ। ତୁରନ୍ତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ। ମାନବାଧିକାର କମିଶନ ଏହି ଘଟଣାର ବିଚାର କରି ଜିଲାପାଳ ଓ ଏସ୍‌ପିଙ୍କୁ ନୋଟିସ୍‌ ଜାରି କରିବା ସହ ଏହି ଘଟଣାରେ ଏ ପର୍ଯ୍ୟନ୍ତ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।