ଭଞ୍ଜନଗରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଭଞ୍ଜନଗର,୨୦।୮(ଡି.ଏନ.ଏ)-ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ । ଜିଲାପାଳଙ୍କ ନିକଟକୁ ମୋଟ ୨୮୬ ଅଭିଯୋଗ ଆସିଥିଲା। ସେଥିରୁ ଅଧିକାଂଶ ରାଶନ କାର୍ଡ଼, ବିଭିନ୍ନ ଭତ୍ତା ଓ ସରକାରୀ ସହାୟତା ସମ୍ପର୍କିତ ଅଭିଯୋଗ ଥିଲା। ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ୭ଜଣଙ୍କୁ ୧ଲକ୍ଷ ୨୦ ହଜାର ଟଙ୍କା ଏବଂ ରେଡ଼କ୍ରସରୁ ୫ଜଣଙ୍କୁ ୨୧ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଭଞ୍ଜନଗର ଡାକ୍ତରଖାନାରେ ୨୩ ଡ଼ାକ୍ତର ରହିବା ବଦଳରେ ବର୍ତ୍ତମାନ ଅଛନ୍ତି ୧୦ ଜଣ। ସେଥିମଧ୍ୟରୁ ୩ ଜଣଙ୍କୁ ଡ଼େପୁଟେଶନରେ ଅନ୍ୟତ୍ର ପଠାଯାଇଛି। ଏହାଦ୍ୱାରା ରୋଗୀ ସେବା ପ୍ରଭାବିତ ହେଉଥିବାରୁ କଂଗ୍ରେସ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି । ଏ ନେଇ ପିସିସି ସଭ୍ୟ ଦେବୀ ବିଷୋୟୀଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଜିଲାପାଳଙ୍କୁ ଭେଟି ଡ଼େପୁଟେଶନ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ନଚେତ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ବିଷୋୟୀ ସୂଚନା ଦେଇଛନ୍ତି। ଏଥିସହ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ମେଶିନକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ଦାବି କରାଯାଇଛି । କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀ, ନାରାୟଣ ସେଠୀ, ଟୁନା ସାହୁ, ଅଯୋଧ୍ୟାନାଥ ମହାପାତ୍ର, ସୀମାଞ୍ଚଳ ବିଷୋୟୀ ଏହି ଦାବି ଜଣାଇଛନ୍ତି। ସେହିପରି କିଛିଦିନ ପୂର୍ବେ ବର୍ଷାରେ ବେଲଗୁଣ୍ଠା ନିକଟସ୍ଥ ଚଢ଼େୟାପଲ୍ଲୀ ଅସ୍ଥାୟୀ ରାସ୍ତା ଧୋଇଯାଇଥିଲା । ନୂତନ ସେତୁ କାମ ଧିମାରେ ଚାଲିଛି । ତେଣୁ ତୁରନ୍ତ ଅସ୍ଥାୟୀ ରାସ୍ତା ତିଆରି କରିବା ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଦାବି ନେଇ ସୋମବାର ଶତାଧିକ ଲୋକ ଶୋଭାଯାତ୍ରାରେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେମାନେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଚଢ଼େୟାପଲ୍ଲୀଠାରେ ବଡ଼ନଦୀ ଉପରେ ଥିବା ଲୁହା ସେତୁଟି କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ନୂଆ ସେତୁ କାମ ଚାଲିଛି । ଅସ୍ଥାୟୀ ରାସ୍ତା ଧୋଇ ଯିବା ପରେ ବେଲଗୁଣ୍ଠା ଭାୟା ବାଲିପଦର ବୁଗୁଡ଼ା ଯାତାୟାତ ବନ୍ଦ ଅଛି । ଅଭିଯୋଗ ଶୁଣାଣି ସମୟରେ ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ, ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍‌ ପ୍ରମୁଖ ଉପସ୍ଥିତ ଥିଲେ ।