ଭଙ୍ଗା ଆମ୍ବୁଲାନ୍ସରେ ରୋଗୀ ସେବା

ଗୋପ, ୯ା୨(ଡିି.ଏନ୍‌.ଏ): ସ୍ବାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତା’ର ବ୍ୟତିକ୍ରମ ଘଟିଛି। ଏପରି କି ଭଙ୍ଗା ଦଦରା ୧୦୮ ଆମ୍ବୁଲାନ୍ସରେ ରୋଗୀଙ୍କୁ ନିଆଯାଉଛି। ଏଥିଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍‌ଶୀଘ୍ର ନୂତନ ୧୦୮ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି ହେଉଛି।

ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘବର୍ଷ ହେଲା ଏକମାତ୍ର ୧୦୮ ଆମ୍ବୁଲାନ୍ସ (ନଂ. ଓଡ଼ି ୦୨ଇ-୯୩୫୧) ଦ୍ୱାରା କାର୍ଯ୍ୟ ସମ୍ପନ୍ନ ହୋଇଆସୁଛି। ତେବେ ଆମ୍ବୁଲାନ୍ସଟି ବହୁ ପୁରୁଣା ହୋଇଯାଇଥିବାବେଳେ ଏହାର ପଛ ଡୋର୍‌ ଭାଙ୍ଗିଯାଇଛି। ଗୋଟିଏ ମାତ୍ର ଡୋର୍‌ ଲାଗିଛି। ନୂତନ ଡୋର୍‌ ଲଗାଯାଉ ନାହିଁ କି ମରାମତି କରାଯାଉ ନାହିଁ। ଫଳରେ ରୋଗୀଙ୍କୁ ନେବା ଆଣିବା କରିବାରେ ସମସ୍ୟା ଉପୁଜୁଛି। ବିଶେଷକରି ଶୀତ ଓ ବର୍ଷାଦିନେ ରୋଗୀଙ୍କୁ ହଇରାଣ ହେବାକୁ ପଡୁଛି। ଜରୁରିକାଳୀନ ପରିସ୍ଥିତିରେ ରୋଗୀ ନେବା ଆଣିବା କରିବା ନିମନ୍ତେ ଏହି ୧୦୮ ଆମ୍ବୁଲାନ୍ସଟି କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଶିବପ୍ରସାଦ ମଙ୍ଗରାଜ କହିଛନ୍ତି, ଏ ନେଇ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ତୁରନ୍ତ ଆମ୍ବୁଲାନ୍ସ ମରାମତି ପାଇଁ ପଦକ୍ଷେପ ନେବେ।