ଭଙ୍ଗାଘରେ ଜୀବନ ବିତାଉଛନ୍ତି ନିଃସହାୟ ସୋଲି

ଶେରଗଡ଼,୧୧ା୬(ଡି.ଏନ୍‌.ଏ.)- ଶେରଗଡ଼ ଗ୍ରାମ କୈବର୍ତ୍ତ ସାହିର ସୋଲି ବେହେରା (୨୪)। ବିବାହର କିଛିବର୍ଷ ପରେ ସ୍ବାମୀ କେଉଁଆଡେ ଚାଲିଯିବାରୁ ସେ ବାପଘରକୁ ଫେରି ଆସିଥିଲେ। ମାତ୍ର ସେତେବେଳକୁ ବାପା ଓ ମା’ଙ୍କ ମୃତ୍ୟୁ ହୋଇ ସାରିଥିଲେ। ଏବେ ୪ବର୍ଷର ସନ୍ତାନଙ୍କୁ ଧରି ଏକ ଭଙ୍ଗା ଘରେ ଜୀବନ ବିତାଉଛନ୍ତି। ଗରିବ ନିଃସହାୟଙ୍କ ପାଇଁ ବହୁ ସରକାରୀ ଯୋଜନା ଥିଲେ ମଧ୍ୟ ସୋଲି କିନ୍ତୁ ସବୁଥିରୁ ବଞ୍ଚତ୍ତ। ଗତ କିଛିଦିନ ହେଲା ଶେରଗଡ଼ ଅଞ୍ଚଳରେ ବର୍ଷା ହେଉଥିବାରୁ ତାଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି। ଆଜବେଷ୍ଟସ୍‌ ଭାଙ୍ଗି ଯାଇଥିବାରୁ ଘରେ ପାଣି ପଶୁଛି। ଫଳରେ ୪ ବର୍ଷର ସନ୍ତାନଙ୍କୁ ଧରି ପର ପିଣ୍ଡାରେ ଆଶ୍ରୟ ନେଉଛନ୍ତି। ଏନେଇ ସୋଲି କୁହନ୍ତି, ପର ଘରେ କାମ କଲେ ଯାହା ଖାଇବାକୁ ଦିଅନ୍ତି ସେଥିରେ ମା’ ପୁଅ ଚଳିଯାଉଛୁ। କିଛି ନ ମିଳିଲେ ଉପାସରେ ରହିବାକୁ ପଡେ। ସରକାର ଏତେ ଯୋଜନା କରୁଛନ୍ତି, ମୋ ପାଇଁ କିନ୍ତୁ ସବୁ ସାତ ସପନ। ଆବାସ ଯୋଜନାରେ ଘର ସହ ସରକାରୀ ସହାୟତା ଯୋଗାଇ ଦେବାକୁ କୈବର୍ତ୍ତ ସମାଜ ସଭାପତି ପାଣ୍ଡବ ବେହେରା ଦାବି କରିଛନ୍ତି।