ଭଙ୍ଗାଗଲା ବଇଣ୍ଡା ରାଧାକୃଷ୍ଣ ମନ୍ଦିର

ବଇଣ୍ଡା,୧୨।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ରାଧାକୃଷ୍ଣ ମନ୍ଦିରକୁ ଶନିବାର ଠିକାସଂସ୍ଥା ପକ୍ଷରୁ ଭଙ୍ଗାଯାଇଛି। ୫୫ ନଂ. ଜାତୀୟ ରଜପଥ ସମ୍ପ୍ରସାରଣରେ ଉକ୍ତ ମନ୍ଦିର ଉଚ୍ଛେଦ କରିବା ପାଇଁ ପୂର୍ବରୁ ପ୍ରଶାସନିକ ଅଧିକାରୀମାନେ ନୋଟିସ ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଏହାକୁ କିଛିଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ୩ ତାରିଖରେ ପ୍ରଭୁ ରାଧାକୃଷ୍ଣଙ୍କୁ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତର କରାଗଲା ପରେ ଶନିବାର ଭଙ୍ଗାଯାଇଛି। ସେହିପରି ବଇଣ୍ଡା ଶିବ ମନ୍ଦିରକୁ ଭଙ୍ଗାଯିବାର କାର୍ଯ୍ୟକ୍ରମ ଥିବାବେଳେ ଶନିବାର ଗ୍ରାମବାସୀମାନେ ଏକ ଅସ୍ଥାୟୀ ଘର ନିର୍ମାଣ କରି ପୂଜାର୍ଚ୍ଚନା କରି ମନ୍ଦିରକୁ ସ୍ଥାନାନ୍ତର କରିଛନ୍ତି। ଏହି ଅବସରରେ ହୋମଯଜ୍ଞ, ନାମ ସଂକୀର୍ତ୍ତନ କରାଯାଇଥିଲା। ଗ୍ରାମର ରମେଶ କୁମାର ଟ୍ରିବୁଓ୍ବାଲା, ସୁଦାମଚରଣ ସାହୁ, ରମେଶ କୁମାର ବେହେରା, ଲକ୍ଷ୍ମଣ କୁମାର ବେହେରା, ଅଭିରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ।