ଭକ୍ତ-ଭଗବାନଙ୍କ ମଧ୍ୟରେ କରୋନା: ଭାରତର ୧୩ଟି ରାଜ୍ୟର ୩୩ ଧର୍ମସ୍ଥଳୀରେ କଟକଣା; ଇଟାଲିରେ ଚର୍ଚ୍ଚ-ଇରାନରେ ମସଜିଦ୍‌ ବନ୍ଦ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୩: ପୃଥିବୀରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଥିପାଇଁ ପ୍ରତି ଦେଶର ସରକାର ଭିଡ଼ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହିତ ଭିଡ଼ରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହାର ପ୍ରଭାବ ବିଭିନ୍ନ ଧର୍ମସ୍ଥଳୀରେ ଦେଖିବାକୁ ମିଳିଛି। ଭକ୍ତ-ଭଗବାନଙ୍କ ମଧ୍ୟରେ କରୋନା ବାଧା ସୃଷ୍ଟି କରିଛି। ଦେଶର ୧୩ଟି ରାଜ୍ୟର ୩୩ଟି ଧର୍ମସ୍ଥଳୀରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି ହୋଇଛି। ଇତିମଧ୍ୟରେ ହରିଦ୍ୱାରରେ ଗଙ୍ଗା ଆରତି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ସହିତ ଦିଲ୍ଲୀର ଇସ୍କନ୍‌, ମୁମ୍ବାଇର ମହାଲକ୍ଷ୍ମୀ, ହାଜିଅଲ୍ଲୀ, ଜମ୍ମୁର ରଘୁନାଥ, ସିକରର ଖଟୁ ଶ୍ୟାମ, ଚିତ୍ରକୂଟର କାମତାନାଥ ଆଦି ମନ୍ଦିରକୁ ଗୁରୁବାର ବନ୍ଦ କରି ଦିଆଯାଇଛି। ଏହା ପୂର୍ବରୁ ବୁଧବାର ବୈଷ୍ଣୋଦେବୀଙ୍କ ଯାତ୍ରା ଉପରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରୋକ ଲଗାଯାଇଥିଲା। ସେହିପରି ବୃନ୍ଦାବନରେ ପ୍ରଭୁ ରଙ୍ଗନାଥଙ୍କ ୧୭୧ ବର୍ଷ ଧରି ଜାରି ରହିଥିବା ବାର୍ଷିକ ଯାତ୍ରାକୁ ବନ୍ଦ କରାଯାଇଛି। ସୂଚନାଯୋଗ୍ୟ, ଭିଡ଼କୁ ଦୃଷ୍ଟିରେ ରଖି ତିରୁପତି, ଅଜମେର, ଶିରିଡ଼ି, ମମଲେଶ୍ୱର, ତ୍ରମ୍ବେକଶ୍ୱର, ଘୃଷ୍ଣେଶ୍ୱର, ସିଦ୍ଧିବିନାୟକ, କାମାକ୍ଷା ମନ୍ଦିର, ଶନି ଶିଙ୍ଗଣାପୁର, ଦଲାଇଲାମା ଟେମ୍ପୁଲ୍‌, ବୁମ୍ବାଦେବୀ, ବବୁଲନାଥ ଆଦି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସେହିପରି ମହାକାଳେଶ୍ୱରଙ୍କ ଭସ୍ମ ଆରତିକୁ ବନ୍ଦ କରାଯାଇଛି। କାରଣ ଏହି ସମୟରେ ୩-୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ସ୍ବର୍ଣ୍ଣମନ୍ଦିର ଖୋଲା ଥିଲେ ମଧ୍ୟ ସ୍ବର୍ଣ୍ଣମନ୍ଦିର ପ୍ଲାଜାକୁ ବନ୍ଦ କରାଯାଇଛି। ଓଁକାରେଶ୍ୱର ମନ୍ଦିର ବନ୍ଦ ହୋଇ ନ ଥିଲେ ବି ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରାଯାଇଛି। ହିମାଚଳ ପ୍ରଦେଶରେ ୬ ମନ୍ଦିରକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ, କରୋନା ଯୋଗୁ ଇଟାଲିରେ ଚର୍ଚ୍ଚ ଏବଂ ଇରାନ୍‌ରେ ମସଜିଦ୍‌ରେ ସାମୁହିକ ପ୍ରାର୍ଥନାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

Share