ଭଉଣୀ ହତ୍ୟାକାରୀକୁ ଆଜୀବନ: ଭିଣୋଇ ନିର୍ଦ୍ଦୋଶରେ ଖଲାସ

ଆନନ୍ଦପୁର,୨୫। ୯(ସ୍ବ.ପ୍ର.): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ବୁଧବାର ଏକ ହତ୍ୟା ଘଟଣାର ରାୟ ପ୍ରକାଶ କରି ଭିଣୋଇକୁ ନିର୍ଦ୍ଦୋଶରେ ଖଲାସ ଏବଂ ଶାଳୀକୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି। ଖଲାସ ହୋଇଥିବା ଭିଣୋଇ ହେଉଛନ୍ତି ଆନନ୍ଦପୁର ଥାନା ଅକରୁଆ ଗ୍ରାମର ରତ୍ନାକର ଜେନା ଏବଂ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଶାଳୀ ହେଉଛନ୍ତି ଜଗତସିଂହପୁର ଜିଲା ନାଉଗାଁ ଥାନା ମଛାଳୋ ଗ୍ରାମର ଉଲ୍ଲାସ ଦାସଙ୍କ ଝିଅ ଝୁନୁରାଣୀ ଦାସ।
ସୂଚନାଯୋଗ୍ୟ ଉଲ୍ଲାସ ଦାସଙ୍କ ବଡ ଝିଅ ନନ୍ଦିନୀ ଜେନା ଆନନ୍ଦପୁର ଥାନା ଅକରୁଆ ଗ୍ରାମର ରତ୍ନାକର ଜେନାଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ। ଉଭୟଙ୍କ ସଂସାର ଠିକ ଚାଲିଥିବାବେଳେ ରତ୍ନାକରଙ୍କ ସାନ ଶାଳି ଝୁନୁରାଣୀ ଆସି ଭିଣୋଇଙ୍କ ଘର ଅକରୁଆରେ ତାଙ୍କ ପାଖରେ ରହିଥିଲେ। ତା୨୭।୮।୨୦୧୭ରିଖରେ ରତ୍ନାକରଙ୍କ ସ୍ତ୍ରୀ ନନ୍ଦିନୀଙ୍କର ପେଟ କାମୁଡିଥିବା ନେଇ ଶାଳି ଝୁନୁରାଣୀ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ। ସେଠାରେ ଚିକିତ୍ସା ହେବା ସତ୍ତ୍ୱେ ନନ୍ଦିନୀଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆନନ୍ଦପୁର ଥାନା ପକ୍ଷରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହିତ ତା୨୮।୮।୨୦୧୭ରିଖରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ପରେ ଡାକ୍ତରଖାନା ପକ୍ଷରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆନନ୍ଦପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା। ଏହି ବ୍ୟବଚ୍ଛେଦ ରିପୋର୍ଟରେ ତଣ୍ଟି ଚିପା ଜନିତ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା। ଫଳରେ ଆନନ୍ଦପୁର ଥାନା ପକ୍ଷରୁ ଏସଆଇ ଶିବ ପ୍ରସାଦ ଆଇଚ ଘଟଣାର ତଦନ୍ତ କରି ପୋଲିସ ନିଜ ଆଡୁ ଦଫା ୩୦୨,୨୦୧ ଓ ୩୪ ଆପିସିରେ ଏକ ମାମଲା (ନଂ.୧୫୩/୨୦୧୮) ରୁଜୁ କରି ରତ୍ନାକର ଏବଂ ଝୁନୁରାଣୀଙ୍କୁ ଗିରଫ କରିଥିଲା। ଏହି ଘଟଣାର ବୁଧବାର ବିଚାର ହୋଇଛି। ସାକ୍ଷ ପ୍ରମାଣକୁ ଆଧାର କରି ଭିଣୋଇ ରତ୍ନାକର ଘଟଣା ଦିନ ଉପସ୍ଥିତ ଥିବାର ପ୍ରମାଣ ନ ମିଳିବାରୁ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଥିଲା ଏବଂ ଶାଳି ଝୁନୁରାଣୀଙ୍କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଥିବା ଜଣାପଡିଛି। ଏହି ମାମଲାକୁ ସରକାରୀ ଆଇନଜୀବୀ ମହେନ୍ଦ୍ର କୁମାର ମହାପାତ୍ର ପରିଚାଳନା କରୁଥିଲେ।