ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍‌: ସାମାଜିକ ଦୂରତା ନିୟମକୁ ଅବମାନନା

ବାଲେଶ୍ୱର ଅଫିସ,୧୮।୪-ବାଲେଶ୍ୱର ଜିଲାର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ପ୍ରତିଦିନ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। କୋଭିଡ-୧୯ ସଂକ୍ରମଣ ରୋକିବା ପାଇଁ ସମଗ୍ର ଭାରତବର୍ଷରେ ଲକ୍‌ଡାଉନ୍‌ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ସୁବିଧା ଓ ସହାୟତା ନେବା ପାଇଁ ଲୋକମାନେ ଏହାକୁ ଅବମାନନା କରୁଥିବା ଦେଖାଯାଇଛି। ଆଗାମୀ ଦିନରେ ଏହା ସମସ୍ୟା ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।
କୋଭିଡ-୧୯ ଭାଇରସ୍‌କୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ପ୍ରତିଷେଧକ। ଏହାକୁ ବଜାୟ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସେହିପରି ସ୍ଥିତିର ମୁକାବିଲା ପାଇଁ ବ୍ୟାପକ ସୁବିଧା ସୁଯୋଗ ବ୍ୟବସ୍ଥା କରିବା ସହିତ ଆଗୁଆ ରାଶନ ଏବଂ ସହାୟତା ରାଶି ମଧ୍ୟ ପ୍ରଦାନ କରୁଛନ୍ତି। ଏପରି ସ୍ଥିତିରେ ଜନଧନ ଯୋଜନାରେ ଖୋଲାଯାଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ମଧ୍ୟ ତିନିମାସ ପର୍ଯ୍ୟନ୍ତ ମାସିକ ୫ଶହ ଟଙ୍କା ଲେଖାଏଁ ପ୍ରଦାନ କରିବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ। କିଛି ଆକାଉଣ୍ଟଗୁଡ଼ିକୁ ମଧ୍ୟ ପ୍ରଥମ ମାସର ସହାୟତା ରାଶି ଆସି ସାରିଛି। ତେବେ ଏହି ଟଙ୍କା ବ୍ୟାଙ୍କରୁ ଉଠାଣ କରା ନ ଗଲେ ଟଙ୍କା ଫେରିଯିବ ଏବଂ ଆଉ ଦୁଇମାସର ଟଙ୍କା ମିଳିବ ନାହିଁ ବୋଲି ଗୁଜବ ପ୍ରଚାର ହେବାରେ ଲାଗିଛି। ତେଣୁ ଟଙ୍କା ଉଠାଇବା ଲାଗି ଜିଲାର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ପ୍ରତ୍ୟହ ଶହ ଶହ ଲୋକଙ୍କ ଲମ୍ବା ଲାଇନ୍‌ ଲାଗୁଥିବା ଦେଖିବାକୁ ମିଳିଛି। ଏପରି ସ୍ଥିତିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି। ଶହ ଶହ ଲୋକ ଧାଡ଼ିରେ ଭିଡ଼ାଭିଡ଼ି ହୋଇ ଛିଡ଼ା ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ କେହି କେହି ଆଗୁଆ ଟଙ୍କା ନେବା ପାଇଁ ସକାଳ ୬ଟାରୁ ମଧ୍ୟ ଲାଇନ୍‌ ଦେଉଥିବା କହିଛନ୍ତି। ଏଭଳି ସ୍ଥିତିରେ ସାମାଜିକ ଦୂରତା ପ୍ରଭାବହୀନ ହୋଇଥିବା ବେଳେ ସଂକ୍ରମଣର ମଧ୍ୟ ଆଶଙ୍କା ରହିଛି। ଅନ୍ୟପକ୍ଷରେ ଟଙ୍କା ଫେରିଯିବା ଏକ ଗୁଜବ ଏବଂ ସେମାନେ ଯେତେବେଳେ ଚାହିଁ ଲେ ଟଙ୍କା ଉଠାଇପାରିବେ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।