Categories: ଜାତୀୟ

ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବିଗ୍‌ ବ୍ୟାଙ୍ଗ୍‌ ଘୋଷଣା

ନୂଆଦିଲ୍ଲୀ,୩୧ା୮: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂର କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ମାସ ୨୩ରେ ବଡ଼ ଧରଣର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ତେବେ ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବୃହତ ମିଶ୍ରଣ କରାଯିବ ବୋଲି ଅର୍ଥମନ୍ତ୍ରୀ ଶୁକ୍ରବାର ବିଗ୍‌ ବ୍ୟାଙ୍ଗ୍‌ ଘୋଷଣା କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସୀତାରାମନ୍‌ କହିଛନ୍ତି ଯେ, ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ଦିଆଯିବ। ଏହି ମିଶ୍ରଣ ପରେ ୪ ବୃହତ ବ୍ୟାଙ୍କ ଗଠନ ହେବ, ଯାହାର ମୋଟ କାରବାର ୫୫.୮୧ ଲକ୍ଷ କୋଟି ଟଙ୍କା ହେବ। ୨୦୧୭ରେ ଦେଶରେ ୨୭ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଥିବା ବେଳେ ଏହି ମିଶ୍ରଣ ପରେ ସେମାନଙ୍କ ସଂଖ୍ୟା ୧୨କୁ ହ୍ରାସ ପାଇବ।
ଶୁକ୍ରବାର ଏଠାରେ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସୀତାରାମନ୍‌ କହିଛନ୍ତି ଯେ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ମିଶାଇ ଦିଆଯିବ। ଫଳରେ ପିଏନ୍‌ବି ଦେଶରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପରେ ଦ୍ୱିତୀୟ ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେବ ଏବଂ ଏହାର ମୋଟ ବ୍ୟବସାୟ ୧୭.୯୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟିବ। ସେହିପରି ସିଣ୍ଡିକେଟ ବ୍ୟାଙ୍କକୁ ମିଶାଇ ଦିଆଯିବା ପରେ କାନାରା ବ୍ୟାଙ୍କ ଦେଶର ଚତୁର୍ଥ ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେବ ଏବଂ ଏହାର ମୋଟ କାରବାର ୧୫.୨୦ ଲକ୍ଷ କୋଟି ଟଙ୍କା ହୋଇଯିବ। ଏହାବ୍ୟତୀତ ଆନ୍ଧ୍ରା ବ୍ୟାଙ୍କ ତଥା କର୍ପୋରେଶନ ବ୍ୟାଙ୍କକୁ ମିଶାଇ ଦିଆଯିବା ପରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦେଶର ୫ମ ସର୍ବବୃହତ ବ୍ୟାଙ୍କର ମାନ୍ୟତା ହାସଲ କରିବ। ଏହାର ମୋଟ କାରବାର ପରିମାଣ ୧୪.୫୯ ଲକ୍ଷ କୋଟି ଟଙ୍କା ହୋଇଯିବ। ସୀତାରାମନ୍‌ କହିଛନ୍ତି ଯେ, ଇଣ୍ଡିଆନ ବ୍ୟାଙ୍କ ସହ ଆଲ୍ଲାହାବାଦ୍‌ ବ୍ୟାଙ୍କର ମିଶ୍ରଣ ପରେ ଏହା ଦେଶର ୭ମ ସର୍ବବୃହତ ବ୍ୟାଙ୍କର ମାନ୍ୟତା ପାଇବା ସହ ଏହାର କାରବାର ୮.୦୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟିବ। ବୃହତ ବ୍ୟାଙ୍କ ମିଶ୍ରଣକୁ ଅର୍ଥମନ୍ତ୍ରୀ ‘ନେକ୍ସଟ ଜେନେରେଶନ ପିଏସ୍‌ବି’ ବା ‘ପରବର୍ତ୍ତୀ ପିଢ଼ିର ରାଷ୍ଟ୍ରାୟତ୍ତ ବ୍ୟାଙ୍କ’ ଭାବେ ଆଖ୍ୟା ଦେଇଛନ୍ତି। ମିଶ୍ରଣ ଶେଷ ହେବା ପରେ ଦେଶରେ ମୋଟ ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆଲ୍ଲାହାବାଦ୍‌ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ରହିଯିବେ।

Share