ବ୍ୟାଗ୍‌ରେ ଶ୍ରୀମନ୍ଦିର ଚିତ୍ର: ପ୍ରତିବାଦ କଲେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ

ପୁରୀ ଅଫିସ,୨୪ା୧୨: ପୁରୀ ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଶେଷକରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଓ ପଲିଥିନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ପ୍ଲାଷ୍ଟିକ ଓ ପଲିଥିନ ପଡ଼ି ନାଳ, ନର୍ଦ୍ଦମା ଜାମ୍‌ ହେଉଥିବାବେଳେ ପରିମଳ ବ୍ୟବସ୍ଥାକୁ ବିଗାଡ଼ିି ଦେଉଛି। ନାଳ ଜାମ୍‌ ଯୋଗୁ ବର୍ଷା ଦିନେ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜୁଛି। ସେହିପରି ବେଳାଭୂମିକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ନିୟମକାନୁନ୍‌କୁ ଉଲ୍ଲଂଘନ କଲେ ଜରିମାନା ଆଦାୟ ହେଉଛି। ସଚେତନତା ଉଦ୍ଦେଶ୍ୟରେ ପୌରସଂସ୍ଥା ପକ୍ଷରୁ ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏ କପଡ଼ା ବ୍ୟାଗ୍‌ ମାଗଣାରେ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ନିକଟରେ ଶରଧାବାଲିରେ ଆୟୋଜିତ ‘ମୋ ପୁରୀ ସ୍ବଚ୍ଛ ପୁରୀ’ କାର୍ଯ୍ୟକ୍ରମରେ ଏହି ବ୍ୟାଗ୍‌ ଉନ୍ମୋଚନ କରାଯାଇ ଥିଲା। ତେବେ ଏହି ବ୍ୟାଗ୍‌ରେ ଶ୍ରୀମନ୍ଦିର ଛବି ରହିଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏ ନେଇ ୨ଟି ସଙ୍ଗଠନ ପ୍ରତିବାଦ କରିବା ସହ ସୋମବାର ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦେଇଛି।
ଏଥିରେ ଦର୍ଶାଯାଇଛି ଯେ, ପବିତ୍ର ଶ୍ରୀକ୍ଷେତ୍ରକୁ ସ୍ବଚ୍ଛ ରଖିବା ଲାଗି ପ୍ରଶାସନର ପଦକ୍ଷେପ ସ୍ବାଗତଯୋଗ୍ୟ। ମୋ’ ପୁରୀ ସ୍ବଚ୍ଛ ପୁରୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ମାଗଣାରେ ଗୋଟିଏ ଲେଖାଏ କପଡ଼ା ବ୍ୟାଗ୍‌ ଦିଆଯିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏହି ବ୍ୟାଗ୍‌ରେ ଶ୍ରୀମନ୍ଦିରର ଛବି ରହିଥିବା ବ୍ୟଥିତ କରିଛି। କାରଣ ତାହାକୁ କେହି ବି ଆମିଷାଦି ଦ୍ରବ୍ୟ ଆଣିବା ସହ ଅଶୌଚ ଆଦି କାର୍ଯ୍ୟରେ ବ୍ୟବହାର କରିବା ସମ୍ଭାବନା ରହିଛି। ଏହାଦ୍ୱାରା ଭକ୍ତ ସମାଜ ତଥା ଧର୍ମୀୟ ଭାବନା ଆଘାତ ପାଇବା ଆଶଙ୍କା କରାଯାଉଛି। ତେଣୁ ବ୍ୟାଗ୍‌, ଡଷ୍ଟବିନ ଆଦିରେ ଶ୍ରୀମନ୍ଦିର କିମ୍ବା କୌଣସି ଦେବଦେବୀଙ୍କ ଛବି ସ୍ଥାନିତ ନ କରିବାକୁ ବିଶ୍ୱ ହିନ୍ଦୁ ପରିଷଦର ନଗର ସଭାପତି ନାରାୟଣ ଦାଶ, ନୀଳକଣ୍ଠ ମହାପାତ୍ର, ଜିଲା ବଜରଙ୍ଗ ଦଳ କର୍ମୀ ଦେବାର୍ପିତ ମହାନ୍ତି, ଦୋଳଗୋବିନ୍ଦ ପଣ୍ଡା, ଲୋକନାଥ ସାହୁ ପ୍ରମୁଖ ଦାବି କରିଛନ୍ତି।