ବ୍ୟବସାୟୀଙ୍କ ଯୋଗୁ ବନ୍ଦ ହୋଇପାରୁନି ପଲିଥିନ୍‌

ମାଲକାନଗିରି,୧୯।୧୦ (ଡି.ଏନ୍‌.ଏ.)-
ଅକ୍ଟୋବର ୨ରୁ ସାରା ରାଜ୍ୟରେ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରଚାରପ୍ରସାର କରାଯାଇଛି। ମାଲକାନଗିରି ପୌର ପରିଷଦ, ଜିଲା ପ୍ରଶାସନ, ବନବିଭାଗ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲିଥିନ୍‌ ବର୍ଜନ ନେଇ ସହରରେ ଶୋଭାଯାତ୍ରା କରି ବ୍ୟବସାୟୀ, ଖାଉଟିଙ୍କୁ ସଚେତନ କରୁଛନ୍ତି। ଶୋଭାଯାତ୍ରାରେ ଜିଲାପାଳ, ଏସ୍‌ପି, ଡିଏଫ୍‌ଓ, ପୌର ନିର୍ବାହୀ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଜନସାଧାରଣ କେତେକାଂଶରେ ସଚେତନ ହୋଇଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ ବେପରୁଆ ମନୋଭାବ ଯୋଗୁ ମୁଖ୍ୟ ରାସ୍ତା କଡ଼ରେ ଜରି, ପଲିଥିନ୍‌ ଏବଂ ଅଦରକାରୀ କ୍ଷତିକାରକ ପ୍ଲାଷ୍ଟିକ ସାମଗ୍ରୀ ପକାଉଛନ୍ତି। ଏନେଇ ସହରବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି। ମାଲକାନଗିରି ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଏକ ଅସ୍ଥାୟୀ କଲିକତା ବିଗ୍‌ ବଜାର ଅଦରକାରୀ ଜରି ମୁଣା ଏବଂ ପ୍ଲାଷ୍ଟିକ ବସ୍ତୁ ବସଷ୍ଟାଣ୍ଡ ପରିସରରେ ଗଦା କରୁଛି। ସେହିପରି ଟେଲିଫୋନ ଭବନ ସାମନାରେ ମଧ୍ୟ ଏପରି କୁଢକୁଢ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବସାୟୀମାନେ ଗଦା କରୁଛନ୍ତି। ସକାଳେ ବୁଲା ଗୃହପାଳିତ ପ୍ରାଣୀମାନେ ଏହିସବୁ ସାମଗ୍ରୀ ଖାଉଥିବାର ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଏମ୍‌. ନୀଳକଣ୍ଠ ନାଇଡୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସହରର ବ୍ୟବସାୟୀଙ୍କୁ ଏନେଇ ବାରମ୍ବାର ତାଗିଦ କରାଯାଇଛି। ଆଗାମୀ ଦିନରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା