ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀଙ୍କୁ ମିଳିବ ପେନ୍‌ସନ ସୁବିଧା: ସରକାରଙ୍କୁ ହାଇକୋର୍ଟଙ୍କ ଆଦେଶ

କଟକ ଅଫିସ, ୭।୧୨: ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ ସୁବିଧା ଯୋଗାଇଦେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଖୋର୍ଦ୍ଧା ଜିଲା ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଲାଇବ୍ରେରିଆନ୍‌ ମାର୍କଣ୍ଡ ବେହେରାଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏହି ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍‌ ବି.ଆର. ଷଡଙ୍ଗୀ ଏହି ଆଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀମାନେ ଅବସର ନେବା ପରେ ସେମାନଙ୍କୁ ଅବସରକାଳୀନ କୌଣସି ସୁବିଧା ମିଳୁନାହିଁ। ଏମାନଙ୍କ ମଧ୍ୟରେ ଶିକ୍ଷକ, ଅଧ୍ୟାପକ ଓ ଅନ୍ୟ କର୍ମଚାରୀ ରହିଛନ୍ତି। ଏହାକୁ ନେଇ ହାଇକୋର୍ଟରେ ପୂର୍ବରୁ ଏକ ମାମଲା ରୁଜୁ ହୋଇଥିଲା। ସୁବିଧାରୁ ବଞ୍ଚତ୍ତ ହୋଇଥିବା ଜଣେ କର୍ମଚାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ତାଙ୍କୁ ସମସ୍ତ ପେନ୍‌ସନ ସୁବିଧା ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟ ଯାଇଥିଲେ। ମାତ୍ର ସୁପ୍ରିମକୋର୍ଟରେ ସରକାର ଝଟ୍‌କା ଖାଇଥିଲେ। କାରଣ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଏବେ ସମାନ ଘଟଣା ଆବେଦନକାରୀ ମାର୍କଣ୍ଡଙ୍କ କ୍ଷେତ୍ରରେ ଘଟିଛି।