କୃଷି ସୂଚନା ପରାମର୍ଶ କେନ୍ଦ୍ର ବୈଠକରେ ମାଛ, କୁକୁଡା, ଛତୁ ଚାଷ ଉପରେ ଗୁରୁତ୍ୱାରୋପ

ରସୁଲପୁର,୬।୧(ଡିଏନଏ)- ରସୁଲପୁର ବ୍ଲକ ଅନ୍ତର୍ଗତ ସହକାରୀ କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ବ୍ଲକସ୍ତରୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆତ୍ମାର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ କୃଷି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଚାଷୀଙ୍କ ଉଦ୍ଦେଶ୍ୟରେ ଆସୁଥିବା ଅର୍ଥର ସୁବିନିଯୋଗ ଉପରେ ବିଶଦଭାବେ ବିଚାର ବିମର୍ଶ କରାଯାଇଥିଲା। ଏଥିରେ କୃଷି, ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ ବିଭାଗ, ମତ୍ସ୍ୟ ବିଭାଗ ଭଳି ୪ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। କୃଷି ବିଭାଗ ପକ୍ଷରୁ ଅଗ୍ରଣୀ ଚାଷୀଙ୍କୁ ବାହାର ଜିଲାର ଅଗ୍ରଣୀ ଚାଷୀଙ୍କ କୃଷିକାର୍ଯ୍ୟ ଶୈଳୀ ସମ୍ପର୍କରେ ଅବଗତ କରାଇବା ପାଇଁ ବୁଲାଇ ନେବା (ଏକ୍ସପୋଜର ଭିଜିଟ୍‌)କୁ ପ୍ରସ୍ଥାବ ରଖିଥିଲେ। ଏଥିସହ ବ୍ଲକ ଅଞ୍ଚଳରେ ଅଗ୍ରଣୀ ଛତୁ ଚାଷୀଙ୍କୁ ପ୍ରଶିକ୍ଷଣ, ମତ୍ସ୍ୟଚାଷ ଓ କୁକୁଡ଼ା ଚାଷ କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି। ଆସନ୍ତା ୨୦ରୁ ୨୪ ତାରିଖ ମଧ୍ୟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା କୃଷି ପ୍ରଦର୍ଶନୀ ମେଳାରେ ବ୍ଲକ ଅଞ୍ଚଳରୁ ୨୦୦ଜଣ ଅଗ୍ରଣୀ ଚାଷୀ ଯୋଗଦେବା ଉପରେ ଆଲୋଚନା କରାଯାଇଥିଲା। ଏସବୁ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ସହ ସେହି ମୁତାବକ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ ଆଗେଇ ନେବାକୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ରଞ୍ଜନ କୁମାର ସେଠୀ, ବ୍ଲକ କୃଷି ବୈଷୟିକ ଅଧିକାରୀ ଶ୍ରୀନିବାସ ରାଉତରାଏ, ମତ୍ସ୍ୟ ସମ୍ପ୍ରସାରଣ ଅଧିକାରିଣୀ ରୋଜାଲିନ୍‌ ସାହୁ, ରସୁଲପୁର ବ୍ଲକ ଉଦ୍ୟାନ କୃଷି ଅଧିକାରୀ ପ୍ରଭାସ ରଞ୍ଜନ ମଲିକ, ସହକାରୀ କୃଷି ବୈଷୟିକ ଅଧିକାରିଣୀ ଶର୍ମିଷ୍ଠା ପାଣିଗ୍ରାହୀ, ଅର୍ଣ୍ଣପୂର୍ଣ୍ଣା ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରସୁଲପୁର ବ୍ଲକ ଅଞ୍ଚଳର ୨୨ଜଣ ଅଗ୍ରଣୀ ଚାଷୀ ସଦସ୍ୟ ଯୋଗ ଦେଇଥିଲେ।