ବ୍ଲକର ନାମଫଳକକୁ ନେଇ ଦ୍ୱନ୍ଦ

ହାଟଡିହୀ, ୪।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଫିସ୍‌ କାର୍ଯ୍ୟାଳୟ ଏବ ମିଟିଂ ଗୃହରେ ଲିଖିତ ଥିବା ନାମଫଳକକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ବିଭିନ୍ନ ମହଲରୁ ଏହାକୁ ତୀବ୍ର ନିନ୍ଦା କରାଯିବା ସହ ବ୍ଲକ କର୍ତ୍ତୃପକ୍ଷଙ୍କ ଦାୟିତ୍ୱକୁ ନେଇ ନାପସନ୍ଦ କରାଯାଇଛି। ଖବରରୁ ଜଣାଯାଇଛି ଯେ, ତଳ ମହଲା କୋଠରୀ ଗୃହରେ ବିଡିଓ, କ୍ୟାସିଅର୍‌ ଏବଂ ଆକାଉଣ୍ଟସଙ୍କ ଅଫିସ୍‌ ଗୃହ ଅଛି। ତଳ ମହଲାର ଆଗପଟ କାନ୍ଥରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହାଟଡିହୀର ସ୍ଥାପିତ ୨୬ ଜାନୁଆରୀ ୧୯୬୧ ଲେଖାଯାଇଛି। ଉପର ମହଲାଟି ମିଟିଂ ଗୃହ ପାଇଁ ଉଦ୍ଦିଷ୍ଟ ରହିଥିବାବେଳେ ଏହାର କାନ୍ଥରେ ୨୯ ଜାନୁଆରୀ ୧୯୬୧ ଲେଖାଯାଇଛି। ଏପରି ଲେଖା ତିନି ସପ୍ତାହ ହେଲାଣି ଲିଖିତ ହୋଇରହିଥିବାବେଳେ ଏଥିପ୍ରତି କର୍ତ୍ତୃପକ୍ଷ ନଜର ନ ଦେବା ଦୁର୍ଭାଗ୍ୟଜନକ ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ହାଟଡିହୀ ବ୍ଲକ କେବେ ସ୍ଥାପିତ ହୋଇଥିଲା ଏବଂ ଉକ୍ତ ଦୁଇ ନାମଫଳକ ମଧ୍ୟରୁ କେଉଁଠି ସଠିକ୍‌ ଅଟେ ତାହା ଆଲୋଚନାର ବିଷୟ ହୋଇଛି।