ବ୍ରିଜ୍‌ ତଳକୁ ଖସିଲା ବସ୍‌: ୩ ମୃତ, ୨୭ରୁ ଊର୍ଦ୍ଧ୍ୱ ଆହତ

ବ୍ରହ୍ମପୁର ଅଫିସ,୨୯।୧: ଗଞ୍ଜାମ ଜିଲା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ବୁଧବାର ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ ତଳକୁ ଖସିପଡିବାରୁ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତକମାନଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ମହିଳା ୨ ଜଣ ଅଛନ୍ତି। ସେହିପରି ୨୭ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଦିଗପହଣ୍ଡି ଓ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଓଲଟି ପଡ଼ିଥିବା ଯୋଗୁ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏବେ ବି ବସ ଭିତରେ କିଛି ଯାତ୍ରୀ ଫଶି ରହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଛନ୍ତି। ତେବେ ପାଣି ଓ ପଥର ପଡ଼ି ରହିଥିବା ଯୋଗୁ ଉଦ୍ଧାରକାରୀ ଟିମ ପାଇଁ ଏହା ସମସ୍ୟା ହୋଇଛି।
ସୂଚନାଯୋଗ୍ୟ, ମାରୁତି ନାମକ ଘରୋଇ ବସ ରାୟଗଡ଼ା ଟିକିରିରୁ ବ୍ରହ୍ମପୁର ଆସୁଥିଲା। ତେବେ ରାତି ପ୍ରାୟ ୩ଟା ସମୟରେ ବସ୍‌ର ବ୍ରେକ୍‌ ଫେଲ୍‌ ହେବାରୁ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ବସ୍‌ରେ ୫୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି।