ବ୍ରାହ୍ମଣୀରୁ ବେଧଡକ ବାଲି ଚାଲାଣ

ଓଡ଼ାପଡ଼ା,୧୬ା୫(ଡି.ଏନ.ଏ) – ଲକ୍‌ଡାଉନ୍‌ ସମୟରେ ଢେଙ୍କାନାଳ ଜିଲା ବ୍ରାହ୍ମଣୀ ନଦୀରୁ ବେଧଡକ୍‌ ଚାଲିଛି ବାଲି ଚାଲାଣ। କରୋନା ସଂକ୍ରମଣ ନିରୋଧୀ ଅଭିଯାନରେ ଅଧିକାରୀମାନେ ନିୟୋଜିତ ହୋଇଥିବାବେଳେ ଏହାର ସୁଯୋଗ ନେଉଛନ୍ତି ଅସାଧୁ ବ୍ୟବସାୟୀ। ଶୁକ୍ରବାର ନାଧରା ଘାଟ ଉପରେ ଚଢ଼ାଉ ବେଳେ ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରଶାସନିକ ଅଧିକାରୀ। ଆକ୍ରମଣର ଭୟ ଦେଖାଇ ଜଣେ ଅଭିଯୁକ୍ତ ଏକ ଟ୍ରାକ୍ଟର ଇଞ୍ଜିନ ଛଡ଼ାଇ ନେଇଛନ୍ତି। ଘଟଣାସ୍ଥଳରୁ ୩ ଟ୍ରାକ୍ଟର ଇଞ୍ଜିନ, ଅଭିଯୁକ୍ତ ଛଡ଼ାଇ ନେଇଥିବା ଟ୍ରାକ୍ଟର ଇଞ୍ଜିନର ଡାଲା ଏବଂ ଗୋଟିଏ ଟିପ୍ପର ଜବତ କରାଯାଇଛି।
ବାଲି ଚାଲାଣରେ ସମ୍ପୃକ୍ତ ବ୍ୟକ୍ତି ତଳିଆ ପୋଲିସ କର୍ମଚାରୀଙ୍କୁ ହାତ କରି ତହସିଲ ଅଧିକାରୀଙ୍କ ଗାଡି ଉପରେ ଲଗାତର ନଜର ରଖୁଥିଲେ। ସେମାନଙ୍କ ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହ କରି ତଦନୁଯାୟୀ ବାଲି ଚାଲାଣରେ ସହାୟତା କରୁଥିଲେ। ପୂର୍ବରୁ ଏପରି ବାଲି ଚାଲାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ହେଲେ ବ୍ୟବସାୟୀମାନେ ଲୋକଙ୍କୁ ଧମକଚମକ ଦେଇ ବେନିୟମ କାର୍ଯ୍ୟ ଜାରି ରଖିଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଶୁକ୍ରବାର ଅପରାହ୍ନରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ବାଲିଘାଟ ଉପରେ ଅତର୍କିତ ଚଢ଼ାଉ କରିଥିଲା। ରାଜସ୍ବ ବିଭାଗ ଅଧିକାରୀମାନେ ପହଞ୍ଚତ୍ ଗାଡ଼ିଗୁଡ଼ିକୁ ଅଟକ ରଖିଥିବାବେଳେ ଜଣେ ଅଭିଯୁକ୍ତ ଲୁହାରଡ୍‌ ଧରି ଆକ୍ରମଣ କରିବାକୁ ଧମକ ଦେଇଥିଲେ। ଏଥିସହ ସେଠାରେ ଥିବା ଏକ ଟ୍ରାକ୍ଟର ଇଞ୍ଜିନକୁ ନେଇ ପଳାଇଥିଲେ। ଚଢ଼ାଉରୁ ବର୍ତ୍ତିବାକୁ ଅଭିଯୁକ୍ତମାନେ ଟ୍ରାକ୍ଟର ନମ୍ବର ଲିଭାଇ ଦେଇଥିଲେ। ତେବେ ଇଞ୍ଜିନ ଓ ଚେଚିସ୍‌ ନମ୍ବରରୁ ଗାଡ଼ି ମାଲିକଙ୍କ ସମ୍ପର୍କରେ ତଥ୍ୟ ମିଳିଯିବ ବୋଲି ଚଢ଼ାଉରେ ସାମିଲ ଥିବା ଅଧିକାରୀମାନେ କହିଛନ୍ତି।
ଅତିରିକ୍ତ ତହସିଲଦାର ସାଗରିକା ସାହୁ, ଓଡ଼ାପଡ଼ା ଆର୍‌ଆଇ ଚିନ୍ମୟ ଦାସ, ମୋଟଙ୍ଗା ଆର୍‌ଆଇ ନିବେଦିତା ନାୟକ, ଷଡଙ୍ଗୀ ଆର୍‌ଆଇ ବୀରେନ୍ଦ୍ର ସିଂ, ପିଙ୍ଗୁଆ ଆର୍‌ଆଇ ପ୍ରସାଦ ସିଂ, ଗଦାଶିଳା ଆରଆଇ ଉଚ୍ଛବ ଦେହୁରୀ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ଉପଜିଲାପାଳ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରିପୋର୍ଟ ଲେଖାଯିବା ଯାଏ ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ।