ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରେ କାଠମାଫିଆ ସକ୍ରିୟ: ଶାଳଗଣ୍ଡି ସହ ଟ୍ରାକ୍ଟର, କଟର ମେଶିନ ଜବତ କଲା ବନବିଭାଗ

ଛେଣ୍ଡିପଦା,୧୯।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା ବିଟ-୧ର ଜଳତାପ ଗ୍ରାମ ନିକଟସ୍ଥ ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରୁ ୫ ଖଣ୍ଡ ଶାଳଗଣ୍ଡି ସହିତ ଟ୍ରକ୍ଟର ଓ କଟର୍‌ ମେଶିନ ଶନିବାର ବନବିଭାଗ ଜବତ କରିଛି।

ସୂଚନାନୁଯାୟୀ, ଛେଣ୍ଡିପଦା ବନାଞ୍ଚଳର କୋଶଳା ସେକ୍ସନ ବିଟ କର୍ମଚାରୀମାନେ ଶୁକ୍ରବାର ରାତିରେ ବ୍ରାହ୍ମଣବିଲ ଗ୍ରାମ ଦେଇ ପେଟ୍ରୋଲିଂରେ କରୁଥିବା ବେଳେ ସଂରକ୍ଷିତ ଜଙ୍ଗଲରୁ ଏକ ଟ୍ରାକ୍ଟରରେ ଶାଳକାଠ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥଲେ। ବନବିଭାଗକୁ ଦେଖି ସଂରକ୍ଷିତ ଜଙ୍ଗଲରେ ମାଫିଆମାନେ ଟ୍ରାକ୍ଟର ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବନବିଭାଗ ଉକ୍ତ ଟ୍ରାକ୍ଟର ସମେତ ସେଥିରେ ଥିବ ୫ ଖଣ୍ଡ ଶାଳକାଠ ଜବତ କରିବା ସହିତ କାଠ କାଟିବା ପାଇଁ ବ୍ୟବହୃତ ହେଉଥିବା କଟର ମେଶିନକୁ ଜବତ କରିଥିଲେ। ବନବିଭାଗ ଉକ୍ତ ଗାଡିକୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିବା ବେଳେ କିଛି ଗ୍ରାମବାସୀ ବନବିଭାଗ କର୍ମଚାରୀମାନଙ୍କୁ ରାସ୍ତାରେ ଅଟକାଇ ଟ୍ରାକ୍ଟରକୁ ଛାଡିବା ସହିତ ଉକ୍ତ ଘଟଣାକୁ ଚପାଇ ଦେବା ପାଇଁ ଚେଷ୍ଟା କରିଥିଲେ। ବନାଞ୍ଚଳ ଅଧିକାରୀ ଗ୍ରାମବାସୀଙ୍କୁ ବୁଝାଇ ଜବତ ହୋଇଥିବା ଗାଡି ଓ ଶାଳକାଠକୁ ବନାଞ୍ଚଳ କାର୍ଯ୍ୟାଳୟକୁ ନେଇ ଆସିଥିଲେ। ଏ ନେଇ ଫରେଷ୍ଟର ପ୍ରତାପ ପ୍ରଧାନ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।
ଏ ନେଇ ବନାଞ୍ଚଳ ଅଧିକାରୀ ମନମୋହନ ସ୍ବାଇଁ କୁହନ୍ତି ଚୋରା ଚାଲାଣ ବେଳେ ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରାଯାଇଛି। ଉକ୍ତ ଟ୍ରାକ୍ଟରର ସମ୍ପର୍କରେ ସବିଶେଷ ତଥ୍ୟ ନିମନ୍ତେ ଆଞ୍ଚଳିକ ପରିବହନ କର୍ଯ୍ୟାଳୟକୁ ଚିଠି କରାଯାଇଛି। ସେଠାରୁ ତଥ୍ୟ ମିଳିବା ପରେ କାଠ ମାଫିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି କାଠ ମାଫିଆମାନେ ଜଙ୍ଗଲରୁ ଦୁଇଟି ୪୦ବର୍ଷରୁ ଊଦ୍ଧର୍‌ବ ଶାଳଗଛ କାଟି ୨୪ ସିଫ୍ଟ ଶାଳ କାଠ ଗଣ୍ଡି ଚୋରି କରି ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପ୍ରକାଶ କରିଛନ୍ତି ।