ବ୍ରାଉନ ସୁଗାର ବ୍ୟବସାୟୀ କୋର୍ଟ ଚାଲାଣ

ଯାଜପୁର ରୋଡ,୨|୮(ନି.ପ୍ର୍ର)- ଯାଜପୁରପୁର ରୋଡ୍‌ ଗୋପବନ୍ଧୁ ନଗରର ନହକା ଛକଠାରେ ଗିରଫ ହୋଇଥିବା ୩ ବ୍ରାଉନ୍‌ ସୁଗାର ବ୍ୟବସାୟୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଏ ନେଇ ଗୁରୁବାର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯାଜପୁର ରୋଡ ଏସଡିପିଓ କେଦାରନାଥ ସାହୁ ସୂଚନା ଦେଇଛନ୍ତି। ଯାଜପୁରରୋଡ୍‌ ଅଞ୍ଚଳରେ ଏହି ବ୍ୟବସାୟୀମାନେ ନିଜର କାରବାର ବିସ୍ତାର କରିବାରେ ଲାଗିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏ ନେଇ ଯାଜପୁର ଏସ୍‌ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍କାର୍ଡ଼ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଏହି କ୍ରମରେ ବୁଧବାର ନହକା ଛକଠାରେ ବ୍ରାଉନ୍‌ ସୁଗାର ବ୍ୟବସାୟ ହେଉଥିବା ଖବର ପାଇ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସବ୍‌ ଇନ୍‌ସ୍ପେକ୍ଟର ସୁଶୀଲ୍‌ କୁମାର ନାୟକ ଏକ ଟିମ୍‌ ସହ ଚଢାଉ କରିଥିଲେ। ଏହି ସମୟରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏଥିସହ ୯୭ ପ୍ୟାକେଟ ପୁଡିଆ ମୋଟ ୯ ଗ୍ରାମ ବ୍ରାଉନସୁଗାର, ୨ ମୋବାଇଲ, ବାଇକ,୍‌ ନଗଦ ୨୦ ହଜାର ୭୪୦ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱହେବ। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ରୋଡ ପଦ୍ମପୁର ଅଞ୍ଚଳର ଦିଲୀପ ମହାନ୍ତି(ମଣ୍ଟୁ), ଦଳାରେ ଭଡା ରହୁଥିବା ସଞ୍ଜିତ୍‌ ସିଂ, ରୋଡ ରାଇସମିଲ ଅଞ୍ଚଳର ବରିସା ମୁର୍ମୁ(ବାବୁଲି)। ଏ ନେଇ ଏକ ମାମଲା (ନଂ ୨୧୯/୧୯) ରୁଜୁ କରି ୨୧(ବି)ଏନ୍‌ଡିପିଏସ ଧାରାରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନ ମିଳିବାରୁ ସମସ୍ତଙ୍କୁ ରଗଡି ସ୍ଥିତ ଯାଜପୁର ରୋଡ ଉପକାରାଗାରକୁ ପଠାଯାଇଛି । ତେବେ ବାଲେଶ୍ୱରରେ ଜଣେ ମହିଳାଙ୍କୁ ଏହି କାରବାରରେ ଗିରଫ କରିବା ପରେ ଯାଜପୁର ଜିଲାରେ ବ୍ରାଉନ୍‌ ସୁଗାର ବ୍ୟବସାୟ କମିବାରେ ଲାଗିଛି। ଏହି ବ୍ରାଉନସୁଗାର କେଉଁଠୁ ଆସୁଛି ସେ ନେଇ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ଏସଡିପିଓ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି, ସବ-ଇନିସ୍ପେକ୍ଟର ପବିତ୍ର ମହାରଣା, ସୁଶୀଲ କୁମାର ମହାରଣା ଓ ରାଜେସ କୁମାର ସେଠୀ ପ୍ରମୁଖ ଉପସ୍ଥିତି ଥିଲେ ା