ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୪।୬-ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ମିନିଟ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହୋଇଥିବା ଆଇଟିଆର ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ଓ ରୁଷିଆର ମିଳିତ ସହଯୋଗକ୍ରମେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ଜଳ, ସ୍ଥଳ ଓ ଆକାଶମାର୍ଗରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ସମେତ ଜାହାଜ ଓ ରକେଟ୍‌କୁ ଧ୍ୱଂସ କରିବା କ୍ଷମତା ରଖିଛି। ଏହାକୁ କ୍ଷେପଣାସ୍ତ୍ର ବିଧ୍ୱଂସୀ କ୍ଷେପଣାସ୍ତ୍ର(ଆଣ୍ଟି ବାଲାଷ୍ଟିକ ମିଶାଇଲ) କୁହାଯାଇଥାଏ। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶେଷଜ୍ଞ ଓ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇ ଏହା ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବ ବୋଲି କୁହାଯାଇଛି।

ବ୍ରହ୍ମୋସ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୪୫୦ କି.ମି.। ଏହା ଅଢେଇ ହଜାରରୁ ୩ହଜାର କେଜି ପର୍ଯ୍ୟନ୍ତ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ପରିବହନ କରିବା କ୍ଷମତା ରଖିଛି। ଏହାର ଲମ୍ବ ୮.୪ ମିଟର ଏବଂ ଓସାର .୬ ମିଟର। ଗତ ୨୦୦୬ ନଭେମ୍ବର ୨୨ ତାରିଖରେ ଏହାର ପ୍ରଥମ ସଫଳ ପରୀକ୍ଷଣ ହୋଇଥିଲା। ପରେ ଏହାକୁ ଭାରତୀୟ ସେନାବାହିନୀରେ ସାମିଲ୍‌ କରାଯାଇଥିଲା। ଗତ ୨୦୧୮ ମେ’ ୨୧ ତାରିଖରେ ଏହାର ପ୍ରଥମ ବ୍ୟବହାରିକ ପରୀକ୍ଷଣ ହୋଇଥିଲା।