ବ୍ରହ୍ମବରଦାରେ ୧୨କୁ ବଢ଼ିଲା ଶଟ୍‌ଡାଉନ ଅବଧି

ରସୁଲପୁର,୮।୪(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ଜଣେ ମୌଲବୀ କରୋନା ଆକ୍ରାନ୍ତଭାବେ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଗତ ଶନିବାରଠାରୁ ସୋମବାର ରାତି ୮ଟା ଯାଏଁ ୪୮ ଘଣ୍ଟା ଶଟଡାଉନ କରାଯାଇଥିଲେ ହେଁ ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଅଭିହିତ କରି ଜିଲା ପ୍ରଶାସନ ସଟ୍‌ଡାଉନକୁ ଆଉ ୪୮ଘଣ୍ଟାକୁ ବୃଦ୍ଧି ଘଟାଇଥିଲା। ବୁଧବାର ସନ୍ଧ୍ୟା ୮ଟାରେ ଏହି ଅବଧି ପୂରିବାକୁ ଥିବାବେଳେ ଏହି ଅଞ୍ଚଳରେ କରୋନା ସ୍ଥିତିର ଗମ୍ଭିରତାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଶଟ୍‌ଡାଉନକୁ ଚଳିତ ମାସ ୧୨ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। ଏହି ସମୟରେ କେହି ବାହାରକୁ ବାହାରିବେ ନାହିଁ। ଖୋଲାରେ ବୁଲୁଥିବା ଲୋକଙ୍କୁ ଦେଖିବାକୁ ମିଳିବା ମାତ୍ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା ଲୋକଙ୍କ ଘରେ ଅତ୍ୟାବଶକୀୟ ସମାଗ୍ରୀ ପହଞ୍ଚାଇବାକୁ ପ୍ରଶାସନ ପକ୍ଷରୁ ନିଶ୍ଚିତ କରାଯାଇଛି। ସେହି ଆଧାରରେ ପ୍ରଶାସନ ପକ୍ଷରୁ ୬ଟି ଗାଡ଼ିର ବ୍ୟବସ୍ଥା କରାଯାଉଛି। ବ୍ରହ୍ମବରଦା ଓ ୩କି.ମି. ବ୍ୟାସାର୍ଦ୍ଧ ଭିତରେ ଥିବା ଅଞ୍ଚଳ ନିଷିଦ୍ଧାଞ୍ଚଳରେ ୪ଟି ଗାଡ଼ି ଗାଁ ଦାଣ୍ଡରେ ବୁଲୁଛି। ୨ଟି ଗାଡିକୁ ରିଜର୍ଭରେ ରଖାଯାଇଛି। ଏହି କାର୍ଯ୍ୟ ସୂଚାରୁରୂପେ କରାଯାଉଛି। ଶଟ୍‌ଡାଉନ ଅଞ୍ଚଳକୁ ସାନିଟାଇଜ୍‌ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି।