ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନୂତନ କୁଳପତି ଦାୟିତ୍ୱ ନେଲେ ଗୋବିନ୍ଦ ଜେ. ଚକ୍ରପାଣି

ବ୍ରହ୍ମପୁର ଅଫିସ,୧୭ା୧୦-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ବୁଧବାର ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣି ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ଚକ୍ରପାଣି ପ୍ରଥମେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଦାୟିତ୍ୱ ଗ୍ରହଣ କରିଥିଲେ ା ଦାୟିତ୍ୱ ଗ୍ରହଣ ବେଳେ କୁଳସଚିବ ରଞ୍ଜନ ବିଶ୍ୱାଳ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥଙ୍କ ସମେତ କର୍ମଚାରୀ ସଂଘ, ଶିକ୍ଷକ ଓ ଅଣଶିକ୍ଷକ ସଂଘ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରଫେସର ଚକ୍ରପାଣିଙ୍କୁ ସ୍ବାଗତ କରିଥିଲେ ା ପ୍ରଫେସର ଚକ୍ରପାଣି ଏହା ପୂର୍ବରୁ ଆଇଆଇଟି ରୁଡ୍‌କୀରେ ଭୂତତ୍ତ୍ୱ ବିଜ୍ଞାନ ବିଭାଗ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ା
ସୂଚନାଯୋଗ୍ୟ, ଅଗଷ୍ଟ ୨ରୁ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାପରେ ଦୀର୍ଘ ଦୁଇମାସ ଧରି କୁଳପତି ପଦବୀ ଖାଲି ରହିଥିଲା ା ଦୁଇମାସ ପରେ ସେପ୍ଟେମ୍ବର ୩୦ରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୁଳପତି ଭାବେ ପ୍ରଫେସର ଚକ୍ରପାଣିଙ୍କୁ ନିଯୁକ୍ତ କରିଥିଲେ ା