ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ରାତି ଅଧରେ ହଷ୍ଟେଲରେ ଦୁଇ ଛାତ୍ରଙ୍କ ଗୁଣ୍ଡାରାଜ

ବ୍ରହ୍ମପୁର ଅଫିସ,୧୩ା୯- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି ା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ବୁଧବାର ବିଳମ୍ବିତ ରାତିିରେ ୨ ଜଣ ସ୍ନାତକୋତ୍ତର ଛାତ୍ର ନୂତନ ଛାତ୍ରାବାସକୁ ଯାଇ ର଼୍ୟାଗିଂ କରିବା ସହ ମାରଣାସ୍ତ୍ର ଧରି ଧମକଚମକ ଦେଇଥିବା ଅଭିଯୋଗ ହୋଇଛି ା ଏନେଇ ଗୁରୁବାର ସମସ୍ତ ହଷ୍ଟେଲର ଅନ୍ତେବାସୀମାନେ ୱାର୍ଡେନ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷାଙ୍କୁ ସାକ୍ଷତ କରି ଲିଖିତ ଭାବେ ଜଣାଇଛନ୍ତି ା ଅନ୍ତେବାସୀଙ୍କ ଲିଖିତ ଅଭିଯୋଗ ପ୍ରକାରେ, ବୁଧବାର ରାତି ପ୍ରାୟ ୧୧.୩୦ରେ ପ୍ରଥମ ହଷ୍ଟେଲ ଋଷିକୁଲ୍ୟାର ୨ ସିନିୟର ଛାତ୍ର ତୃତୀୟ ହଷ୍ଟେଲ ନାଗାବଳୀକୁ ଯାଇ ନୂତନ ଭାବେ ନାମ ଲେଖାଇ ଥିବା ଛାତ୍ରଙ୍କୁ ର଼୍ୟାଗିଂ କରିଥିଲେ। ସେମାନଙ୍କୁ ଧମକାଇବା ସହ ହଷ୍ଟେଲ ଫାଟକ ଆଗରେ ମାରଣାସ୍ତ୍ର ଧରି ଜଗି ରହିଥିଲେ। ଖବରପାଇ ନବାଗତ ଛାତ୍ରଙ୍କୁ ସମର୍ଥନ କରିବାକୁ ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ଛାତ୍ରାବାସର ଅନ୍ତେବାସୀ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିବାକୁ ଯିବା ବେଳେ ଉକ୍ତ ୨ ଛାତ୍ର ସେମାନଙ୍କ ଉପରକୁ କାଚ ବୋତଲ ଫୋପାଡିବା ସହ ମାରିବାକୁ ଧମକ ଦେଇଥିବା ଅନ୍ତେବାସୀମାନେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି। ପ୍ରତ୍ୟେକ ଦିନ ଉକ୍ତ ଦୁଇ ଛାତ୍ର ଏପରି ହଷ୍ଟେଲରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ା ବାରମ୍ବାର ଉକ୍ତ ୨ ଛାତ୍ରଙ୍କ ବିରୋଧରେ ଅଭିଯୋଗ ହେବା ସତ୍ତ୍ୱେ ମଧ୍ୟ ସେମାନଙ୍କ ଉପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ା ଫଳରେ ଏପରି ଘଟଣା ଘଟୁଥିବା ଅନ୍ତେବାସୀମାନେ କହିଛନ୍ତି। ତୁରନ୍ତ ଉକ୍ତ ୨ ଛାତ୍ରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମସ୍ତ ହଷ୍ଟେଲ ଛାତ୍ରଙ୍କୁ ସୁରକ୍ଷା ଦେବା ନେଇ ଅନ୍ତେବାସୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଆଲୋଚନା ଏବଂ ଏହାର ପୁନରାବୃତ୍ତି ନ ହେବା ଦିଗରେ ପଦକ୍ଷେପ ନେବା ପାଇଁ ଗୁରୁବାର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ା
ଏଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଠିତ ଶାନ୍ତି କମିଟି, ହଷ୍ଟେଲ ୱାଡେନ ପ୍ରଫେସର ଭାଗୀରଥି ପାଣିଗ୍ରାହୀ, ସମସ୍ତ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଯୋଗଦେଇ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ସୁରକ୍ଷା, ବିଶୃଙ୍ଖଳା ରୋକିବା ଦିଗରେ ଆଲୋଚନା କରିଥିବା ଜଣାପଡିଛି ା
ହଷ୍ଟେଲ ଗୁଡିକର ସୁରକ୍ଷା ପାଇଁ କ୍ୟାମ୍ପସରେ ପୋଲିସ ମୃତୟନ ନେଇ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇବା ସହ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ରାତିରେ ହଷ୍ଟେଲ ପରିଦର୍ଶନ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ା