ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ : ବିନା ଅଧ୍ୟାପକରେ ଚାଲିଛି ଏମ୍‌ଜେଏମ୍‌ସି ବିଭାଗ

ବ୍ରହ୍ମପୁର ଅଫିସ,୯ା୬-ଓଡ଼ିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର) ଅନ୍ୟତମ। ଓଡିଶା ତଥା ରାଜ୍ୟ ବାହାରୁ ବହୁ ଛାତ୍ରୀଛାତ୍ର ଏହି ବିଶ୍ୱବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଆସିଥାନ୍ତି। ଏଥି ସହ ଉଚ୍ଚତର ଗବେଷଣା କରି ଏଠାକାର ଛାତ୍ରୀଛାତ୍ରମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି। କିନ୍ତୁ ଏବେ ସାମ୍ବାଦିକ ଗଣଯୋଗାଯୋଗ(ଏମ୍‌ଜେଏମ୍‌ସି) ଓ ଆଇନ ବିଭାଗରେ ଅଧ୍ୟାପକ ନାହାନ୍ତି । ଏମ୍‌ଜେଏମ୍‌ସି ବିଭାଗ ପାଇଁ ବିଶ୍ୱବିଦ୍ୟାଳୟ ପରିଚୟ ହାସଲ କରିଥିବା ବେଳେ ଏବେ ନା ଅଛନ୍ତି ସ୍ଥାୟୀ ଅଧ୍ୟାପକ ନା ଅତିଥି ଅଧ୍ୟାପକ। ୨ ଜଣ ଅତିଥି ଅଧ୍ୟାପକଙ୍କୁ ନେଇ ବିଭାଗ ଚାଲୁଥିଲା। କିନ୍ତୁ ଅତିଥି ଅଧ୍ୟାପକ ମାନଙ୍କର ଚୁକ୍ତି ଗତ ଏପ୍ରିଲରେ ସରିଯାଇଥିବା ବେଳେ ଏବେ ବିନା ଅଧ୍ୟାପକରେ ଚାଲିଛି ବିଭାଗ। କିଛି ଦିନ ତଳେ ଇତିହାସ ବିଭାଗର ଜଣେ ଅଧ୍ୟାପକଙ୍କୁ କୋର୍ଡ଼ିନେଟର ଭାବେ ନିଯୁକ୍ତି ଦେଇଛି ବିଶ୍ୱବିଦ୍ୟାଳୟ ପ୍ରଶାସନ। ଅନ୍ୟପଟେ ଆଇନ ବିଭାଗରୁ କିଛି ଦିନ ତଳେ ମୁଖ୍ୟ ପ୍ରଫେସର ଭାଗୀରଥି ପାଣିଗ୍ରାହୀ ଅବସର ନେବା ପରେ ଜଣେ ଅଧ୍ୟାପକଙ୍କୁ ନେଇ ଚାଲିଛି ଏହି ବିଭାଗ। ଗବେଷଣା କରୁଥିବା ପିଲାମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ବିଷୟରେ ଛାତ୍ରମାନେ ଗତ ଗୁରୁବାର କୁଳସଚିବଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଆମେ ଏହି ବିଷୟରେ ବିଶ୍ୱବିଦ୍ୟାଳୟର ମିଡ଼ିଆ ସେଲ୍‌ ଅଧ୍ୟକ୍ଷ ବଳଭଦ୍ର ତ୍ରିପାଠୀଙ୍କୁ ପଚାରିବାରୁ ଏବେ ନିଯୁକ୍ତି ପ୍ରକ୍ରିୟା ଚାଲୁରହିଛି। ବହୁ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି।