ବ୍ରହ୍ମପୁର ଆଇଟିଆଇ ପ୍ରସ୍ତୁତ କଲା ସବୁଠୁ ଶସ୍ତା ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର: ଭାରତର ସମସ୍ତ ଆଇଟିଆଇକୁ ଫେସ୍‌ ସିଲ ପ୍ରସ୍ତୁତି ତାଲିମ ଦେବ

ବ୍ରହ୍ମପୁର ଅଫିସ,୨୧ା୫: କରୋନା ମୁକାବିଲା ପାଇଁ ବ୍ରହ୍ମପୁର ଆଇଟିଆଇ ସ୍ବୟଂଚାଳିତ ଓ ପଦଚାଳିତ ସାନିଟାଇଜର ମେଶିନ ତିଆରି କରିଛି। ଇଲେକ୍ଟ୍ରିକାଲ ଓ ପ୍ଲମ୍ବର ସ୍କାର୍ପ ସାମଗ୍ରୀକୁ ବିନିଯୋଗ କରି ୭ଟି ମଡେଲର ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର ଡିସ୍ପେନସିଭ୍‌ ମେଶିନ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରେ ୬ଟି ଭିନ୍ନ ପ୍ରକାରର ପଦଚାଳିକ ତଥା ମାନୁଆଲ ମେଶିନ ହୋଇଥିବା ବେଳେ ଆଉ ଗୋଟିଏ ସ୍ବୟଂଚାଳିତ ସାନିଟାଇଜର ମେଶିନ। ଏଗୁଡ଼ିକର ମୂଲ୍ୟ ୪୯୯ ରୁ ୧୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି ା ସାନିଟାଇଜର ଅପଚୟକୁ ରୋକିବା ସହ ଆବଶ୍ୟକତା ଅନୁସାରେ ସାନିଟାଇଜର ବ୍ୟବହାରକୁ ଲକ୍ଷ୍ୟକରି ଏହି ମେଶିନ ପ୍ରସ୍ତୁତ କରାଯାଇଛି। ଏହା ଭାରତର ସବୁଠୁ ଶସ୍ତା ସାନିଟାଇଜର ମେଶିନ ହୋଇଥିବା ବେଳେ ଆଗାମୀ ଦିନରେ ଏହି ୭ଟି ମଡେଲର ୫୦୦ ସାନିଟାଇଜର ମେଶିନ ଆଇଟିଆଇ ପକ୍ଷରୁ ବିକ୍ରି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ପୂର୍ବରୁ ଆଇଟିଆଇ ଦ୍ୱାରା ପ୍ରସ୍ତୁତ ୟୁଭିସି ସାନିଟାଇଜର ମେଶିନକୁ କେନ୍ଦ୍ର ସରକାର କରୋନା ମୁକାବିଲା କ୍ଷେତ୍ରରେ ଭାରତ ସର୍ବୋକୃଷ୍ଠ ଉଦ୍ଭାବନ ଭାବେ ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ହୋମ ପେଜ୍‌ରେ ଆଇଟିଆଇ ଓ ୟୁଭିସି ମେଶିନକୁ ସ୍ଥାନିତ କରିଥିବା ଅଧ୍ୟକ୍ଷ ସୂଚାଇଛନ୍ତି। ଏଥିସହ ଆସନ୍ତା ମଙ୍ଗଳବାର ସାରା ଭାରତର ୧୩୦୦୦ ଆଇଟିଆଇକୁ ଫେସ୍‌ ସିଲ୍‌ର ପ୍ରସ୍ତୁତି ନେଇ ଅନଲାଇନ୍‌ ମାଧ୍ୟମରେ ବ୍ରହ୍ମପୁର ଆଇଟିଆଇ ତାଲିମ ପ୍ରଦାନ କରିବ ବୋଲି ମଧ୍ୟ ଅଧ୍ୟକ୍ଷ ପାଣିଗ୍ରାହୀ କହିଛନ୍ତି।