ବ୍ରହ୍ମପୁରରେ ଲକ୍‌ଡାଉନ, ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ପ୍ରଶାସନ ପକ୍ଷରୁ ଗଣେଶ ମାର୍କେଟ ସିଲ୍‌

ବ୍ରହ୍ମପୁର ଅଫିସ,୧୫।୬: କରୋନା ସଂକ୍ରମଣକୁ ଏଡ଼ାଇବା ନେଇ ଗଞ୍ଜାମ ଜିଲାରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପୁଣି ଲକ୍‌ଡାଉନ ଘୋଷଣା କରାଯାଇଛି। ତେବେ ଏହା ଘୋଷଣା ହେବାର ପ୍ରଥମ ଦିନରେ ହିଁ ଲକଡାଉନ୍‌ ନିୟମାବଳୀ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି। ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ନେଇ ନିର୍ଦ୍ଦେଶ ରହିଥିବା ବେଳେ ସୋମବାର ବ୍ରହ୍ମପୁରର କିଛି ମାର୍କେଟ କମ୍ପ୍ଲେକ୍ସ ଖୋଲାଥିବା ଦେଖିବାକୁ ମିଳିଥିଲା । ଏହି କ୍ରମରେ ଲକ୍‌ଡାଉନ ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ବଡ଼ବଜାର ସ୍ଥିତ ଗଣେଶ ମାର୍କେଟ କମ୍ପ୍ଲେକ୍ସକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଏ ନେଇ ଟୁଇଟ୍‌କରି ସୂଚନା ଦେଇଛନ୍ତି। ଏହାବ୍ୟତୀତ ସହରର ଗେଟବଜାର ସମେତ ବିଭିନ୍ନ ସ୍ଥାନରେ ଖୋଲାଥିବା ଦୋକାନକୁ ମଧ୍ୟ ଉପଜିଲାପାଳ ତାଗିତକରି ବନ୍ଦ କରିଥିବା ସୂଚନା ମିଳିଛି ।