ବ୍ରହ୍ମପୁରରେ ଭାରତ ବନ୍ଦର ପ୍ରଭାବ: ରେଳ ଅଟକାଇ ବିଭିନ୍ନ ସଂଗଠନର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର ଅଫିସ,୮।୧- ଦରଦାମ ବୃଦ୍ଧି, ନିଯୁକ୍ତି, ପେଟ୍ରୋଲ ଦର ବୃଦ୍ଧି, ନାଗରିକତା ସଂଶୋଧନ ଆଇନ(ସିଏଏ) ସମେତ ବହୁ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ସକାଳୁ ଦେଖିବାକୁ ମିଳିଛି । ସକାଳୁ ବିଭିନ୍ନ ସଂଗଠନ ବ୍ରହ୍ମପୁର ରେଳଷ୍ଟେଶନର ରେଳ ଧାରଣା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ବ୍ରହ୍ମପୁର ରେଳ ଷ୍ଟେଶନ ପରିସରରେ ବ୍ରହ୍ମପୁର-ମେମୋ ପାସେଞ୍ଜର , ଯଶୋୱନ୍ତପୁର-ହାୱଡା ଟ୍ରେନ ଦୀର୍ଘ ସମୟ ଧରି ଅଟକି ରହିଥିଲା । ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିବାକୁ କେନ୍ଦ୍ର ସରକାର ସିଏଏ ଆଇନ ପ୍ରଣୟନ କରିଥିବା ସଂଗଠନମାନେ ନାରାବାଜି କରିଥିଲେ। ସିପିଆଇ ନେତା ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଅଲ ଇଣ୍ଡିଆ ଡିଏସଓ ରାଜ୍ୟ ସମ୍ପାଦକ ସୋମନାଥ ବେହେରା ପ୍ରମୁଖ ଧର୍ମଘଟର ନେତୃତ୍ୱ ନେଇଥିଲେ। ଏଥିରେ ଏଆଇଟିୟୁସି, ଆଇଏନଟିୟୁସି, ସିଆଇଟିୟୁ, ଏଆଇୱାଇଏଫ ସମେତ ବିଭିନ୍ନ ଟ୍ରେଡ଼ ୟୁନିୟନ ସଂଗଠନ, ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ସାମିଲ ହୋଇଛନ୍ତି।