ବ୍ରହ୍ମପୁରରେ ଏଆର୍‌ଟିଓ ଅଫିସ ଖୋଲିବା ଦାବି

ବ୍ରହ୍ମପୁର ଅଫିସ,୧୭ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ପୋଲିସ ଏବେ ଜୋର୍‌ଦାର ଚେକିଂ କରୁଛି। ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜନସାଧାରଣଙ୍କ ସୁବିଧା ନିମନ୍ତେ ବ୍ରହ୍ମପୁର ସହରରେ ଏକ ସହକାରୀ ଆଞ୍ଚଳିକ କାର୍ଯ୍ୟାଳୟ(ଏଆର୍‌ଟିଓ) ଖୋଲିବା ପାଇଁ ସୋମବାର ଗଞ୍ଜାମ ଓକିଲ ସଂଘର କେତେ ଜଣ ସଦସ୍ୟ ବ୍ରହ୍ମପୁର ଉପ ଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କୁ ଭେଟି ଦାବି ଜଣାଇଥିଲେ। ବ୍ରହ୍ମପୁର ଜନସଂଖ୍ୟା ପ୍ରାୟ ୬ ଲକ୍ଷ ଟପିଲାଣି। ଏବେ ଗାଡି ଚାଳକମାନେ ନୂଆ ନିୟମ ଓ ଜରିମାନାକୁ ନେଇ ଗୋଟିଏ ପଟେ ଏକ ପ୍ରକାର ଭୟଭୀତ ହୋଇ ଥିବା ବେଳେ ଗାଡି କାଗଜପତ୍ର ଠିକ୍‌ କରିବା ପାଇଁ ଗଞ୍ଜାମ ଜିଲା ଆଞ୍ଚଳିକ ପରିବହନ ସଂସ୍ଥା (ଆର୍‌ଟିଓ)ଙ୍କ ଛତ୍ରପୁର କାର୍ଯ୍ୟାଳୟକୁ ଦୌଡ଼ି ନାନା ହଇରାଣ ହେବାକୁ ପଡୁଛି। ଏପରିକି ଦଲାଲଙ୍କ ଶିକାର ମଧ୍ୟ ହେଉଥିବା ଜାଣିବାକୁ ମିଳୁଛି। ଦୁରଦୂରାନ୍ତରୁ ଆସିଥିବା ଲୋକମାନେ ଆରଟିଓ ଅଫିସ ଆଗରେ ଲମ୍ବା ଧାଡି ବାନ୍ଧି ଦିନ ତମାମ ଛିଡ଼ା ହେଉଛନ୍ତି। ଏଣୁ ବ୍ରହ୍ମପୁର ତଥା ଆଖପାଖ ଅଞ୍ଚଳର ଲୋକମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ମହାନଗରରେ ଖୁବଶୀଘ୍ର ଏକ ଏଆରଟିଓ ଅଫିସ ଖୋଲିବା ପାଇଁ ଓକିଲଙ୍କର ଏକ ପ୍ରତିନିଧି ଦଳ ଉପ ଜିଲାପାଳଙ୍କୁ ଭେଟି ଦାବି ଜଣାଇଥିଲେ। ବ୍ରହ୍ମପୁରରେ ଏଆରଟିଓ ଅଫିସ ଖୋଲାଗଲେ ଡ୍ରାଇଭିଂ ଲାଇସେନ୍ସ, ଯାନବାହନ ଗୁଡିକର ଫିଟନେସ୍‌ ଆଦି ସୁବିଧା ହୋଇପାରିବ ଦର୍ଶାଇ ଓକିଲ ପ୍ରତିନିଧି ଦଳ ଉପଜିଲାପାଳଙ୍କୁ ଅନୁରୋଧ କରିଛନ୍ତି ା ଏ ନେଇ ଗଞ୍ଜାମ ଓକିଲ ସଂଘ ପୂର୍ବତନ ସମ୍ପାଦକ ପୀତବାସ ପଣ୍ଡା ସୂଚନା ଦେଇଛନ୍ତି। ଉପଜିଲାପାଳ ଭାଉସାହେବ ମଧ୍ୟ ସହରରେ ଖୁବଶୀଘ୍ର ଏକ ଏଆର୍‌ଟିଓ କାର୍ଯ୍ୟାଳୟ ଖୋଲାଯିବାକୁ ପ୍ରତିଶ୍ରୁତି ଦେଇଥିବା ଓକିଲ ସଂଘର ପୂର୍ବତନ ସମ୍ପାଦକ ପଣ୍ଡା କହିଛନ୍ତି। ପ୍ରତିନିଧି ଦଳରେ ସଂଘ ପୂର୍ବତନ ସଭାପତି ଶିଶିର ପାଢ଼ୀ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ପୀତବାସ ପଣ୍ଡା ଓ ଅଶୋକ ଶୁକ୍ଳ ପ୍ରମଖ ସାମିଲ ଥିଲେ।