ବୋମାମାଡ଼ ଘଟଣାରେ ସରପଞ୍ଚଙ୍କ ସମେତ ୫ ଗିରଫ: ବାଇକ୍‌, ପିସ୍ତଲ ଜବତ

ପୁରୀ ଅଫିସ,୨୯ା୪: ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍‌ଏସି ୪ ନଂ. ୱାର୍ଡ ବାଲିସାହିସ୍ଥିତ ବାସଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଜଣେ ସରପଞ୍ଚଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ବାଇକ୍‌, ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ ଓ ୨ରାଉଣ୍ଡ ଗୁଳି ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୋଣାର୍କ ଥାନା ଅଧୀନ ଅଚ୍ୟୁତପୁର ପଞ୍ଚାୟତର ସରପଞ୍ଚ ଭକ୍ତବଲ୍ଲଭ ଦାସ ଓ ବେରୁଅଁା ଗ୍ରାମର ଦିଲୀପ ନାୟକ, ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ସମହରା ଗ୍ରାମର ଧୀରଜ ସ୍ବାଇଁ, ବାଲିଗୁଆଳିର ବାଦଲ ନାୟକ ଏବଂ କୈଳାସ ପ୍ରଧାନ। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିଲା ବୋଲି ଆଡିଶନାଲ ଏସ୍‌ପି ଅରୁଣ କୁମାର ଜେନା କହିଛନ୍ତି।
ବୁଧବାର ଗଣମାଧ୍ୟମକୁ ଏ ସମ୍ପର୍କରେ ସବିଶେଷ ସୂଚନା ଦେଇ ପୋଲିସ କହିଛି ଯେ, ଗତ ୨୩ ତାରିଖ ରାତିରେ ସଞ୍ଜୟ ପତିଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ଦୁଇଟି ବୋମା ଘର ସମ୍ମୁଖରେ ପଡ଼ିିଥିବାବେଳେ ଗୋଟିଏ ତାଙ୍କ ଗୁହାଳ ଘର ଆଜବେଷ୍ଟସ ଉପରେ ପଡ଼ିିବାରୁ କିଛି ଆଜବେଷ୍ଟସ୍‌ ଭାଙ୍ଗିଯାଇଥିଲା। ତେବେ ଏଥିରେ ତାଙ୍କ ପରିବାରର କାହାର କିଛି କ୍ଷତି ହୋଇ ନ ଥିଲା। ସଞ୍ଜୟଙ୍କ ବାପା ଜଳନ୍ଧରଙ୍କ ଅଭିଯୋଗକୁ ଭିତ୍ତିକରି କୋଣାର୍କ ଥାନାରେ ଏକ ମାମଲା (ନଂ.୪୯/୨୦)ରୁଜୁ କରାଯାଇଥିଲା। ବୋମାମାଡ଼ କରି ଖସିଯାଉଥିବାବେଳେ ବାଟରେ ରାତ୍ର ପାଟ୍ରୋଲିଂରେ ଥିବା ପୋଲିସ କର୍ମଚାରୀ ଅଭିଯୁକ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନେ ତାଙ୍କୁ ବନ୍ଧୁକ ଦେଖାଇ ଖସି ପଳାଇଥିଲେ। ଏ ନେଇ କୋଣାର୍କ ଥାନାରେ ଆଉ ଏକ ମାମଲା (ନଂ. ୫୦/୨୦) ରୁଜୁ ହୋଇଥିଲା। ଘଟଣାର ତଦନ୍ତ ଜାରି ରଖି ପୋଲିସ ପରବର୍ତ୍ତୀ ସମୟରେ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସରପଞ୍ଚ ଦାସ ସଞ୍ଜୟଙ୍କ ଘର ଉପରକୁ ବୋମାମାଡ଼ କରିବା ଲାଗି ଯୋଜନା କରିଥିଲେ। ତେଣୁ ସେ ଅଭିଯୁକ୍ତ ଧୀରଜ, କୈଳାସ, ବାଦଲଙ୍କ ସମେତ ଆଉ ୨/୩ ଜଣଙ୍କୁ ଏଥିରେ ନିୟୋଜିତ କରିଥିଲେ। ସେମାନଙ୍କୁ ୯ଏମ୍‌ଏମ୍‌ ପିସ୍ତଲ, ଗୁଳି ଦେଇଥିଲେ। ଅଭିଯୁକ୍ତ ଦିଲୀପ ସେମାନଙ୍କୁ ସଞ୍ଜୟଙ୍କ ଘର ଚିହ୍ନାଇ ଦେଇଥିଲେ ବୋଲି ପୋଲିସ କହିଛି।