Categories: ଗଞ୍ଜାମ

ବେସରକାରୀ ସ୍କୁଲରେ ତାଲା ପକାଇଲା ପ୍ରଶାସନ

ଜଗନ୍ନାଥପ୍ରସାଦ,୨୫ା୬(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ବ୍ଲକରେ ଶିକ୍ଷାର ଭିତ୍ତିଭୂମି ନ ଥାଇ ଜିଲା ଶିକ୍ଷା ବିଭାଗର ବିନା ଅନୁମତି ଓ ଗାଇଡ଼ ଲାଇନ ଉଲଂଘନ କରୁଥିବା ଘରୋଇ ସ୍କୁଲକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ଲକର ୧୬ଟି ବେଆଇନ ଅନୁଷ୍ଠାନକୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ନ ମିଳିବାରୁ ସେଗୁଡିକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଗଞ୍ଜାମ ଜିଲାପାଳଙ୍କ ଜାରି ନିର୍ଦ୍ଦେଶ ପ୍ରକାରେ ଉପଜିଲାପାଳ ଭଞ୍ଜନଗରଙ୍କ ଆଦେଶରେ ସ୍ଥାନୀୟ ତହସିଲଦାର ବାସୁଦେବ ପାଣ୍ଡେ, ତହସିଲ ସୁପରଭାଇଜର ସନ୍ତୋଷ କୁମାର ଓଝା, ଅମିନ କୃଷ୍ଣଚନ୍ଦ୍ର ପାତ୍ର, କୁନ୍ଦନ ପାତ୍ର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଜଗନ୍ନାଥପ୍ରସାଦ ସ୍ଥିତ ମା’ ସରସ୍ବତି ଶିଶୁ ବିଦ୍ୟାଭବନ, ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର, ସାଇ ଭାରତୀ ବିଦ୍ୟା ମନ୍ଦିର, ନିଉ ହୋପ ପବ୍ଲିକ ସ୍କୁଲକୁ ସିଲ କରିଥିଲେ। ପରେ ଛାମୁଣ୍ଡା ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟାଭବନ, ରାଣୀଭୂମିର ମା’ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ମଧ୍ୟ ସିଲ କରି ଦିଆଯାଇଥିଲା। ଆନୁସଙ୍ଗିିକ କାଗଜପତ୍ର ନ ଥାଇ ବ୍ଲକରେ ଚାଲିଥିବା ଅବଶିଷ୍ଟ ବିଦ୍ୟାଳୟକୁ ମଙ୍ଗଳବାର ପୋଲିସ ସାହାର୍ଯ୍ୟରେ ସିଲ କରାଯିବ ବୋଲି ତହସିଲଦାର ପାଣ୍ଡେ କହିଛନ୍ତି।