ବେଦମନ୍ତ୍ରରେ କମ୍ପୁଛି ପୂଜାସ୍ଥଳ

ଅନୁଗୋଳ ଅଫିସ/ବଅଁରପାଳ/ବଇଣ୍ଡା, ୧୫ା୧୦

ଅନୁଗୋଳ ସହରରେ ମା’ ଲକ୍ଷ୍ମୀଙ୍କ ପୂଜା ରବିବାର ରାତିରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା। ଚଳିତବର୍ଷ ହୁଲୁରସିଂହା ପୂଜା ମଣ୍ଡପ ପକ୍ଷରୁ ପ୍ରଥମ ଥର ପାଇଁ ଲକ୍ଷ୍ମୀ ନାରାୟଣଙ୍କ ପାଇଁ ଅଢ଼େଇ କିଲୋଗ୍ରାମ ଓଜନର ଚାନ୍ଦିର ମୁକୁଟ ଓ ହାର କରାଯାଇଛି। ଏ ନେଇ ପାଖାପାଖି ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କମିଟି ସଭାପତି ଦିଲୀପ ପ୍ରଧାନ କହିଛନ୍ତି। ପୂଜା ପାଇଁ ସହରକୁ ବାହାର ରାଜ୍ୟରୁ ବହୁ ଉଠା ବ୍ୟବସାୟୀ ଆସି ପସରା ମେଲାଇଥିବା ଦେଖିବାକୁ ମିଳୁଛି। ଅନ୍ୟ ଜିଲାର ହାତ ତିଆରି ସାମଗ୍ରୀ ମଧ୍ୟ ପୂଜା ବଜାରରେ ବିକ୍ରି କରାଯିବା ପାଇଁ ଆସିଥିବାରୁ ଲୋକଙ୍କ ବେଶ ଗହଳି ଜମୁଥିବା ଦେଖିବାକୁ ମିଳିଛି।
ସେହିପରି ବଅଁରପାଳ ବଜାରରେ ସୋମବାର ଠାରୁ ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ମୋଟ୍‌ ୧୩ଟି ମଣ୍ଡପରେ ମା’ଙ୍କ ପୂଜା ପାଳିତ ହେଉଛି। ଏହି ଅବସରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତେବେ ଚଳିତ ବର୍ଷ ଡେଲି ମାର୍କେଟ୍‌ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ପୂଜା ମଣ୍ଡପ ବେଶ୍‌ ଆକର୍ଷିତ ହୋଇଛି। ରୂପା ମୁକୁଟରେ ଦେବୀ ଧନଦାତ୍ରୀ ଝଲସି ଉଠୁଛନ୍ତି। ପୂଜା କମିଟି କର୍ମକର୍ତ୍ତା ଏଥିରେ ସହଯୋଗ କରିଛନ୍ତି। ପୂଜାର ପ୍ରଥମ ଦିନରେ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା ଦେଖାଯାଇଛି। ସେହିପରି କିଶୋରନଗର ବ୍ଲକ ବଇଣ୍ଡା ବସ୍‌ଷ୍ଟାଣ୍ଡ, କଦଳୀମୁଣ୍ଡା, ବୈଷ୍ଣବ ସାହି, ଧୁଣ୍ଡି, ଆନନ୍ଦମୁଣ୍ଡା, ହଣ୍ଡପା, ଲୁହାମୁଣ୍ଡା, ଇଚ୍ଛାପୁର, ସରଗିପାଲି, ଖଣ୍ଡହତା, ଘୋଷ, ସଞ୍ଜାମୁରା, ତୁରୁଡ଼ା, ଆଠମଲ୍ଲିକ ବ୍ଲକ ଠାକୁରଗଡ଼, ସିମିଳିଆ ଆଦି ଗ୍ରାମ ଗୁଡ଼ିକରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ସାରେ ପୂଜା ମଣ୍ଡପରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ କର୍ମକର୍ତ୍ତା ସହଯୋଗ କରୁଛନ୍ତି।