ବେଙ୍ଗାଲୁରୁରେ ଫସିଛନ୍ତି ୩୫ ଶ୍ରମିକ: ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ

କୃଷ୍ଣପ୍ରସାଦ, ୨୮ା୩(ନି.ପ୍ର.): କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ। ଗାଡ଼ିମୋଟର, ଟ୍ରେନ ସବୁ ବନ୍ଦ। ଏଭଳି ସ୍ଥିତିରେ ବେଙ୍ଗାଲୁରୁରେ ଫସିରହିଛନ୍ତି ପୁରୀ ଜିଲା କୃଷ୍ଣପ୍ରସାଦର ୩୫ଜଣ ଶ୍ରମିକ। ସେମାନେ ୩ ଦିନ ଧରି ଭୋକ ଉପବାସରେ ଦିନ କାଟୁଛନ୍ତି। ବେଙ୍ଗାଲୁରୁର ସୋଲାରପୁରିଆ ନାମକ ଏକ କନଷ୍ଟ୍ରକଶନ କମ୍ପାନୀରେ ୪ମାସ ହେଲା କାର୍ଯ୍ୟ କରୁଥିଲେ। କରୋନା ଆତଙ୍କ ପରେ କମ୍ପାନୀ ବନ୍ଦ ହୋଇଯାଇଛି। ସେମାନେ ୨ମାସର ଦରମା ପାଇ ନ ଥିବା ବେଳେ ଘରକୁ ଫେରିବା ପାଇଁ ଚାହିଁଲେ ବି ଚାରିଆଡେ ବନ୍ଦ ଯୋଗୁ ଓଡ଼ିିଶା ଆସିପାରୁନାହାନ୍ତି। କିଛି ଖାଇବା ପାଇଁ ମିଳୁନାହିଁ। ବାହାରକୁ ବାହାରିଲେ ପୋଲିସ ମାଡ ମାରୁଛି। ତେଣୁ ସେମାନେ ଫେସବୁକରେ ଭିଡିଓ ମାଧ୍ୟମରେ ନିଜର ଦୁଃଖ ଦୁର୍ଦ୍ଦଶା ବଖାଣିବା ସହ ଓଡ଼ିଶା ଫେରାଇଆଣିବା ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି।