ବେଆଇନ ମାଙ୍କଡ଼ା ପଥର ବୋଝେଇ ଗାଡ଼ି ଓଲଟିଲା

ବେଗୁନିଆ, ୨୩। ୮ (ଡି.ଏନ.ଏ.)- ବେଆଇନ ଭାବେ ପଥର ଖଣିରୁ ଗୁରୁବାର ବିଳମ୍ବିତ ରାତିରେ ମାଙ୍କଡା ପଥର ବୋଝେଇ କରି ପଳାଇ ଯାଉଥିବା ଏକ ମିନି ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି। ତେବେ ଚାଳକ ଜଣକ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଶ୍ରମିକମାନେ ଉକ୍ତ ଗାଡିରେ ନ ଥିଲେ। ରାତିରେ ମିନିଟ୍ରକ ମାଲିକ ଗାଡିକୁ ଓଳଟି ଥିବା ସ୍ଥାନରୁ କେଉଁ ଆଡେ ଉଠାଇ ନେଇ ଯାଇଥିଲେ। ସକାଳୁ ଖବର ପାଇ ପୋଲିସ ଓ ତହସିଲଦାର ଘଟଣାସ୍ଥଳକୁ ଲୋକ ଦେଖାଣିଆ ଯାଇ ଖାଲି ହାତରେ କାର୍ଯ୍ୟାଳୟକୁ ଫେରି ଆସିଛନ୍ତି। ତେବେ ତହସିଲ ପକ୍ଷରୁ କେଉଁ ଭଳି ଭାବେ ବେଆଇନ ଖଣି ମାଫିଆଙ୍କୁ ଅଙ୍କୁଶ ଲଗାଉଛନ୍ତି ଏଥିରୁ ସ୍ପଷ୍ଟ ଭାବେ ବାରି ହୋଇପଡୁଛି। ସୂଚନା ମୁତାବକ, ବେଗୁନିଆ ତହସିଲ ଅଧୀନ ଡାଳତୋଳା ପଥର ଖଣିରୁ ମାଙ୍କଡା ପଥର ବୋଝେଇ କରି ମିନି ଟ୍ରକ୍‌ ନଂ. ଓଆର ୦୨ ବିଇ ୯୮୨୭ ଯୋଗେ କଳାପଥର ଅଭିମୁଖେ ଯାଉଥିଲା। ରାତିରେ ବାଘମାରୀ ଛକ ପଟୁ ତହସିଲଦାର ଏବଂ ପୋଲିସ ଉକ୍ତ ବୋଝେଇ ଗାଡିକୁ ପିଛା କରୁଥିବାର ଖବରପାଇ ଚାଳକ ଜଣଙ୍କ ଦ୍ରୁତଗତିରେ ଯାଉଥିବା ବେଳେ ସିମୋର ବଜାର ଛକରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏ ସମ୍ପର୍କରେ ତହସିଲଦାର ବିବେକାନନ୍ଦ ପରିଡା କୁହନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଖଣି ମାଫିଆଙ୍କୁ ଅଙ୍କୁଶ ଲଗାଇବା ପାଇଁ ରାତ୍ରି କାଳୀନ ପାଟ୍ରୋଲିଂ ଚାଲିଛି। ମାଙ୍କଡା ପଥର ବୋଝେଇ ମିନି ଟ୍ରକ ଓଲଟି ପଡିବା ଖବର ପାଇ ଘଟଣାସ୍ଥଳକୁ ଯାଇଥିଲୁ ମାତ୍ର ଗାଡିକୁ ଉଠାଇ ନିଆଯାଇଥିବାବେଳେ ସେଠାରେ ପଥର କେବଳ ପଡି ରହିଥିଲା।