ବେଆଇନ ଦେଶୀ ମଦ ପ୍ରସ୍ତୁତି ବେଳେ ଅବକାରୀ ଚଢ଼ାଉ

ଦେବଗଡ଼,୧୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ସତ୍ତ୍ୱେ ଦେବଗଡ଼ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ଜୋରଦାର ଚାଳିଛି। ଏଣୁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ା ରିଆମାଳ ବ୍ଲକ ସଦର ମହକୁମାର ଅନତି ଦୂରରେ ତେଲିମୁଣ୍ଡା ନିକଟସ୍ଥ ପଥରଘାଟ ନାଳ କଡ଼ରେ ବେଆଇନ ଭାବେ ବିପୁଳ ପରିମାଣର ଦେଶୀ ମଦ ପ୍ରସ୍ତୁତ ହେଉଥିବା ଦେବଗଡ଼ ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାୟକ ଗୁରୁବାର ରାତିରେ କୌଣସି ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅନୁଯାୟୀ, ଦେବଗଡ଼ ଅବକାରୀ ଇନ୍ସପେକ୍ଟର ପଦ୍ମଲୋଚନ ପ୍ରଧାନ ଓ ଏଏସ୍‌ଆଇ ଗୋବିନ୍ଦ ସାହୁ ସଦଳବଳ ସେଠାରେ ଅଚାନକ ଚଢ଼ାଉ କରିଥିଲେ ା ତେବେ ସେମାନଙ୍କୁ ଦେଖି ମଦ ପ୍ରସ୍ତୁତ କରୁଥିବା ଜିତୁ ସାହୁ ଓ ଫକୀର ସାହୁ ସେଠାରୁ ଦୌଡ଼ି ପଳାଇଥିଲେ ା ଫଳରେ ଅବକାରୀ ବିଭାଗ କର୍ମଚାରୀମାନେ ୨ କ୍ୱିଣ୍ଟାଲ ମହୁଲଫୁଲ ଏବଂ ୫୦ ଲିଟର ଦେଶୀ ରନ୍ଧା ମଦ ସହ ଅନେକ ସାମଗ୍ରୀ ଜବତ କରିଛନ୍ତି।