ବୃତ୍ତ ଚିହ୍ନରେ ଠିଆହୋଇ ସାମଗ୍ରୀ କିଣିବେ ଲୋକେ: ହାଟ, ବଜାରରେ ଲକ୍ଷ୍ମଣରେଖା ଟାଣିଲା ବିଏମ୍‌ସି

ଭୁବନେଶ୍ୱର, ୨୬ା୩ (ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ୨୧ଦିନ ପାଇଁ ଲକ୍‌ ଡାଉନ୍‌। ଆବଶ୍ୟକତା ହେଉ ଅବା ଅଧିକ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ମହଜୁଦ ରଖିବାକୁ ହେଉ, ଲୋକେ ଏବେ ବଜାର ମୁହାଁ। ଫଳରେ ହାଟ, ବଜାର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଏବେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ସାମଗ୍ରୀ ନେବାକୁ ପ୍ରତିଯୋଗିତା ଭିତରେ ଠେଲାପେଲା, ଧସ୍ତାଧସ୍ତି ପରିସ୍ଥିତି ବି ସୃଷ୍ଟି ହେଉଛି। କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରେ ରହିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସବୁବେଳେ ଗୁରୁତ୍ୱ ଦିଆଯାଉଥିବାବେଳେ ହାଟବଜାରରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ଏପରିସ୍ଥିତିକୁ ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ହାଟ, ବଜାର ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦେକାନଗୁଡ଼ିକ ସାମ୍ନାରେ ଲକ୍ଷ୍ମଣରେଖା ଟାଣିଛି। ବୃତ୍ତ ଚିତ୍ର କରାଯାଇ ତାହା ମଧ୍ୟରେ ଜଣେ ଜଣେ ଲୋକ ଧାଡ଼ିରେ ରହି ସାମଗ୍ରୀ କିଣିବାକୁ କୁହାଯାଇଛି। ଲୋକେ ଜିନିଷ କିଣିବାକୁ ଆସିଲେ ଦୋକାନୀମାନେ ଏନେଇ ସେମାନଙ୍କୁ ଜଣାଇବା ସହ ସେହି ଅନୁସାରେ ପରାମର୍ଶ ଦେବେ। ଲୋକେ ଠିକ୍‌ ଭାବେ ଏହାକୁ ପାଳନ କରୁଛନ୍ତି କି ନାହିଁ ସିସିଟିଭି ଓ ସ୍କ୍ବାଡ୍‌ ଦ୍ୱାରା ତଦାରଖ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।